ରାୟଗଡ଼ା: ପବିତ୍ର ଦଶହରା ନବରାତ୍ରୀ ଅବସରରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଶକ୍ତିପୀଠ ସମ୍ପୂର୍ଣ୍ଣ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଛି। ନବରାତ୍ରୀର ପ୍ରଥମ ଦିନରୁ ମା’ଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନବପତ୍ରିକା ପୂଜା ଆରମ୍ଭ ହୋଇଥିବାବେଳେ ଏହି ପବିତ୍ର ଅବସରରେ ମା’ ଦିବ୍ୟ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କର ଏହି ଅପୂର୍ବ ଓ ଆକର୍ଷଣୀୟ ସୁନାବେଶ ଦର୍ଶନ କରିବା ପାଇଁ ରାୟଗଡ଼ା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଛୁଟିଆସୁଥିବାରୁ ମନ୍ଦିର ପରିସରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଘଣ୍ଟଘଣ୍ଟାର ନାଦ, ଧୂପଦୀପର ମହକ ଏବଂ ମା’ଙ୍କ ଜୟଧ୍ୱନିରେ ସମଗ୍ର ପୀଠ ଏକ ଅଲୌକିକ ପରିବେଶ ସୃଷ୍ଟି କରିଛି। ମା’ଙ୍କ ମସ୍ତକରେ ସୁନାର ମୁକୁଟ, ମଥାମଣି, ମଥାପଟି, ଭୂଲତା, ଚକ୍ଷୁ, ତୃତୀୟ ନୟନ, ନାସାଭୂଷଣ, ନୋଥ, କର୍ଣ୍ଣକୁଣ୍ଡଳ ଏବଂ ମୁଖହାର ଆଦି ମୂଲ୍ୟବାନ ସୁନା ଅଳଙ୍କାର ଶୋଭା ପାଉଥିବା ଦୃଶ୍ୟ ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି। ବର୍ଷର ଦୁଇଟି ପ୍ରମୁଖ ପର୍ବ ଯଥା ଚୈତ୍ର ପର୍ବ ଓ ଦଶହରା ନବରାତ୍ରୀ ଅବସରରେ ମା’ ଏଭଳି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମା’ଙ୍କୁ ଦର୍ଶନ କରି ମାନସିକ କଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି।
ଏହି ନବରାତ୍ରୀ ପର୍ବରେ ମା’ଙ୍କ ଖଣ୍ଡା ପୂଜାର ଏକ ସ୍ୱତନ୍ତ୍ର ପରମ୍ପରା ରହିଆସିଛି। ବର୍ଷତମାମ ସୁରକ୍ଷିତ ଭାବେ ରଖାଯାଉଥିବା ପାଞ୍ଚଟି ଖଣ୍ଡା ମଧ୍ୟରୁ ଗୋଟିଏ ଖଣ୍ଡାକୁ ଦଶହରା ସମୟରେ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଶକ୍ତିପୀଠରେ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ଚଳନ୍ତି ପ୍ରତୀକ ଭାବେ ଏହି ଖଣ୍ଡା ପୂଜା ପାଉଥିବାରୁ ଏହା ସହ ବହୁ ପାରମ୍ପରିକ ଲୋକବିଶ୍ୱାସ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଜଡ଼ିତ ରହିଛି। ନବରାତ୍ରୀର ପ୍ରତିପଦା ତିଥିରୁ ମା’ଙ୍କ ଦୁର୍ଗା ଖଣ୍ଡା ପୂଜା ଆରମ୍ଭ ହୋଇଥାଏ। ବ୍ରାହ୍ମଣସାହି ନଦୀରେ ସ୍ନାନମାର୍ଜନା ପରେ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ମଣ୍ଡପରେ ହୋମ, ଯଜ୍ଞ ଓ ଚଣ୍ଡୀପାଠ ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ନିଷ୍ଠାର ସହ ସମ୍ପନ୍ନ କରାଯାଏ। ବିଶେଷକରି ମହାଷ୍ଟମୀ ଦିନ ମା’ ଚାମୁଣ୍ଡା ରୂପରେ ପୂଜା ପାଇଥାନ୍ତି, ଯାହାକି ଏହି ଶକ୍ତିପୀଠର ସାଂସ୍କୃତିକ ଓ ପାରମ୍ପରିକ ଗୌରବକୁ ଆହୁରି ବଢ଼ାଇଥାଏ। ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ସହ ବିଭିନ୍ନ ନୀତିକାନ୍ତି ନିୟମିତ ଭାବେ ପାଳିତ ହେଉଛି। ପ୍ରତିଦିନ ଆସୁଥିବା ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଶୃଙ୍ଖଳା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମା’ଙ୍କ ଅପାର କରୁଣା ଓ ଆଶୀର୍ବାଦ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେବ ବୋଲି ଭକ୍ତମାନେ ଦୃଢ଼ ବିଶ୍ୱାସ ପୋଷଣ କରିଛନ୍ତି।


