ବଲାଙ୍ଗୀର: ଜମିର କିସମ ପରିବର୍ତ୍ତନ କରିଦେବାକୁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସଇଁତଳା ରାଜସ୍ୱ ନିରୀକ୍ଷକ (RI) ଆଲନ ବେହେରା। ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ନିଜର କୃଷିଜମିକୁ ଘରବାରୀ କିସମକୁ ବଦଳାଇବା ପାଇଁ ସରକାରୀ ପୋର୍ଟାଲରେ ଅନ୍ଲାଇନ୍ ଆବେଦନ କରିଥିଲେ। କାମଟି ଯେପରି ଶୀଘ୍ର ହୋଇଯିବ, ସେଥିପାଇଁ ସେ RI ଆଲନ ବେହେରାଙ୍କ ସହ କଥା ହୋଇଥିଲେ। ହେଲେ ରାଜସ୍ୱ ନିରୀକ୍ଷକ ଜଣକ ଏହି କାର୍ଯ୍ୟ ବାବଦକୁ ୬,୦୦୦ ଟଙ୍କା ଦାବି କରିଥିଲେ।
ତେବେ ଲାଞ୍ଚ ଦେବାକୁ ନାପସନ୍ଦ କରି ଆବେଦନକାରୀ ଜଣକ ଏ ନେଇ ସିଧାସଳଖ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ଆଜି ଆବେଦନକାରୀଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ାଉ କରି RIଙ୍କୁ କାବୁ କରିଥିଲା।
ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଶ୍ରୀ ବେହେରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ RIଙ୍କ ସହ ଜଡ଼ିତ ୨ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ରହିଛି।


