ମୁମ୍ବାଇ: ରୋହିତ ଶର୍ମା IPL ରେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିପାରେ। ଆସନ୍ତା ସିଜନ ଅର୍ଥାତ୍ ଆଇପିଏଲ-୨୦୨୭ ରେ ରୋହିତ ପୁଣି MI ର ଅଧିନାୟକ ଭାବେ ନଜର ଆସିପାରନ୍ତି। ହିଟମ୍ୟାନ୍ ଭାବେ ପରିଚିତ ରୋହିତ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଟ୍ରଫି ଜିତାଇଥିବା ଅଧିନାୟକ। ସେ ୨୦୧୩ ରୁ ୨୦୨୩ ଯାଏଁ ମୁମ୍ବାଇର ଅଧିନାୟକ ଥିଲେ। ଏହାପରେ ପରବର୍ତ୍ତୀ ତିନି ବର୍ଷ ଧରି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ଅଧିନାୟକ ଭାବେ ନଜର ଆସିଥିଲେ।
ସ୍ପୋର୍ଟସ ତକ୍ ରିପୋର୍ଟ ଅନୁସାରେ, ଏବେ ପୁଣି ରୋହିତଙ୍କ ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ, ଏବେ ରୋହିତଙ୍କ ବୟସ ୩୯ ବର୍ଷ। ପରବର୍ତ୍ତୀ IPL ବେଳକୁ ସେ ୪୦ ବର୍ଷର ହୋଇଯିବେ। ଏପରି ସ୍ଥିତିରେ ଯଦି ସେ ଦ୍ୱିତୀୟଥର ଅଧିନାୟକ ହୁଅନ୍ତି, ତେବେ କେତେଦିନ ଦାୟିତ୍ୱ ସମ୍ଭାଳିବେ?
ବର୍ତ୍ତମାନ ରୋହିତଙ୍କ ଅଧିନାୟକ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ। ଏବେ ଦେଖିବାକୁ ବାକି ରହିଲା ମୁମ୍ବାଇ କ’ଣ ନିଷ୍ପତ୍ତି ନେଉଛି। ଯଦି ରୋହିତ ଅଧିନାୟକ ହୁଅନ୍ତି, ତେବେ ବର୍ତ୍ତମାନର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର କ’ଣ ହେବ? ଏହା ମଧ୍ୟ ଏକ ପ୍ରଶ୍ନ।
IPL ର ସବୁଠୁ ସଫଳ ଅଧିନାୟକ
ରୋହିତ IPL ଇତିହାସରେ ମିଳିତ ଭାବେ ସବୁଠୁ ସଫଳ ଅଧିନାୟକ। ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଟି ଟାଇଟଲ ଜିତିଛି, ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଏମଏସ ଧୋନୀଙ୍କ ନେତୃତ୍ୱରେ ୫ଟି ଟାଇଟଲ ଜିତିଛି। ଏହିପରି ହିଟମ୍ୟାନ୍ ମିଳିତ ଭାବେ ସବୁଠୁ ସଫଳ IPL ଅଧିନାୟକ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ କେବେ କେବେ ଟାଇଟଲ ଜିତିଛି?
ଆଇପିଏଲ-୨୦୧୩, ଆଇପିଏଲ-୨୦୧୫, ଆଇପିଏଲ-୨୦୧୭, ଆଇପିଏଲ-୨୦୧୯, ଆଇପିଏଲ-୨୦୨୦।
ରୋହିତ ଶର୍ମାଙ୍କ IPL କ୍ୟାରିୟରରୋହିତ ଏଯାଏଁ ୨୮୧ ମ୍ୟାଚ୍ ଖେଳିସାରିଛନ୍ତି। ୨୭୬ ଇନିଂସରେ ୨୯.୯୧ ହାର ଏବଂ ୧୩୨.୯୧ ଷ୍ଟ୍ରାଇକ୍ ରେଟରେ ୭୩୨୯ ରନ୍ କରିଛନ୍ତି। ଏଥିରେ ୨ ଶତକ ଓ ୪୯ ଅର୍ଦ୍ଧଶତକ ଅଛି, ସର୍ବୋଚ୍ଚ ସ୍କୋର ୧୦୯*। ୩୨ ଇନିଂସରେ ବୋଲିଂ କରି ୧୫ ୱିକେଟ୍ ନେଇଛନ୍ତି, ସର୍ବଶ୍ରେଷ୍ଠ ୪/୬।


