ନୂଆଦିଲ୍ଲୀ: ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ନିଜର ଦୁଇ ଦିନିଆ ଭାରତ ଗସ୍ତରେ ଆସି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଆଲୋଚନା, ପ୍ରତିରକ୍ଷା ସହଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।
ବୈଠକ ପରେ ସୂଚନା ଦେଇ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ପ୍ରକାଶ କରିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ଅଧା-ଅଧୁକା ରହିଥିବା ବାଣିଜ୍ୟ ଚୁକ୍ତିବହୁତ ଶୀଘ୍ର ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। ଭାରତ ଏବଂ ଆମେରିକା ପରସ୍ପରର ବିଶ୍ୱସ୍ତ ରଣନୈତିକ ଭାଗିଦାରୀ ବୋଲି ଦର୍ଶାଇ ସେ କହିଛନ୍ତି ଯେ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଭୟ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆଯାଉଛି।
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ମାର୍କୋ ରୁବିଓଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେରିକା ସରକାର ଭାରତ ସହିତ ଦୀର୍ଘସ୍ଥାୟୀ ବାଣିଜ୍ୟିକ ଏବଂ ପ୍ରତିରକ୍ଷା ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ରୁବିଓ ଦୋହରାଇଛନ୍ତି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ଗଭୀର କରିବା ସହ ଆଗାମୀ ଦିନରେ ଅର୍ଥନୈତିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ବୈଦେଶିକ ବ୍ଲକ୍ ଆଶାବ୍ୟକ୍ତ କରିଛି।


