ଛତ୍ରପୁର: ପାର୍ବଣ ଋତୁରେ ଜୁଆ ଖେଳ ଉପରେ ଗଞ୍ଜାମ ଜିଲ୍ଲା ପୁଲିସର କଡ଼ା ନଜର। ବେଆଇନ ଜୁଆ କାରବାରକୁ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି। ଗତ ୨୦ ତାରିଖରେ ପ୍ରାୟ ୧୦ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୬୧ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସ୍ପି ହରିଶ ବି. ସି. ସୂଚନା ଦେଇଛନ୍ତି।
ପୁଲିସର ଏହି ଚଢ଼ାଉ ସମୟରେ ଗିରଫ ଅଭିଯୁକ୍ତଙ୍କଠାରୁ ମୋଟ ୨ ଲକ୍ଷ ୧୯ ହଜାର ୪୮୦ ଟଙ୍କା ଜବତ କରାଯାଇଛି। ଏଥିସହ ବହୁ ତାସ୍ ପତ୍ତି ଓ ୫ଟି ମୋବାଇଲ ଫୋନ୍ ମଧ୍ୟ ପୁଲିସ ଜବତ କରିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ବେଆଇନ ଜୁଆ କାରବାର ବିରୋଧରେ ପୁଲିସ ଏହି ପଦକ୍ଷେପ ନେଇଛି।
ଗିରଫ ୬୧ ଜଣଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଗଞ୍ଜାମ ଜିଲ୍ଲାରେ ବେଆଇନ ଜୁଆ କାରବାର ସମେତ ଅନ୍ୟ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୁଲିସର କଡ଼ା ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସ୍ପି ହରିଶ ବି. ସି. କହିଛନ୍ତି।


