ବାରିପଦା: ଚେକ୍ ବାଉନ୍ସ ମାମଲାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଋଣ ପରିଶୋଧ ପାଇଁ ଦିଆଯାଇଥିବା ଚେକ୍ ବାଉନ୍ସ ହେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଝାରପୋଖରୀ ଥାନା ଅନ୍ତର୍ଗତ ଗୋଷାଣୀପାଳ ଗ୍ରାମର ନୀଳକଣ୍ଠ ସାହୁ। ତାଙ୍କୁ ୬ ମାସ ଜେଲ୍ ଦଣ୍ଡ ସହ ୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ତାଙ୍କୁ ଅଧିକ ଏକ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ମାମଲାର ବିବରଣୀ ଅନୁସାରେ, ନୀଳକଣ୍ଠ ସାହୁ ବ୍ୟବସାୟ କରିବା ପାଇଁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସାରସକଣା ଶାଖାରୁ ୨ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହି ଋଣ ପରିଶୋଧ କରିବା ପାଇଁ ସେ ବ୍ୟାଙ୍କକୁ ୨,୯୪,୩୬୮ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। କିନ୍ତୁ ଉକ୍ତ ଚେକ୍ଟି ବାଉନ୍ସ ହୋଇଯାଇଥିଲା। ଚେକ୍ ବାଉନ୍ସ ହେବା ପରେ ସାରସକଣା ଶାଖାର ପରିଚାଳିକା ବାରିପଦା ଜେଏମ୍ଏଫ୍ସି ଅଦାଲତରେ ମାମଲା ରୁଜୁ କରିଥିଲେ। ଏହି ମାମଲାଟି କେସ ନମ୍ବର ଆଇ.ସି.ସି. ୦୪/୧୫/୨୦୨୪ରେ ରୁଜୁ ହୋଇଥିଲା ।ଏହି ମାମଲାରେ ବ୍ୟାଙ୍କ ପକ୍ଷରୁ ଆଇନଜୀବୀ ବଟକୃଷ୍ଣ ପାଢ଼ୀ ମାମଲା ପରିଚାଳନା କରୁଥିଲେ। ଏହି ମାମଲାର ବିଚାର କରି ବାରିପଦା ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଶୁଭ୍ରାଂଶୁ ଠାକୁର ଉପଲବ୍ଧ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ନୀଳକଣ୍ଠ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।


