ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ତାଙ୍କର ଆଗାମୀ ଆତ୍ମଜୀବନୀ ‘ବେଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’ ର ପ୍ରଥମ ଝଲକ କିମ୍ବା ଫାଷ୍ଟ ଲୁକ୍ ସେୟାର କରିଛନ୍ତି, ଯାହାକି ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବା ପାଇଁ ସ୍ଥିର ହୋଇଛି।
ଇନଷ୍ଟାଗ୍ରାମରେ ନିଜର ପ୍ରଥମ ପୋଷ୍ଟ ସେୟାର କରି ୭୯ ବର୍ଷୀୟା କଂଗ୍ରେସ ନେତ୍ରୀ ପାଠକମାନଙ୍କୁ ବହିଟି ସମ୍ପର୍କରେ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଏହା ହେଉଛି ପ୍ରେମ, କର୍ତ୍ତବ୍ୟ, କ୍ଷତି ଏବଂ ନିଜର ଏକ ପରିଚୟ ତଥା ଠିକଣା ଖୋଜି ପାଇବାର ଏକ ସୁନ୍ଦର କାହାଣୀ। ଏହି ପୁସ୍ତକଟି ଯୁଦ୍ଧୋତ୍ତର ଇଟାଲୀରେ ତାଙ୍କର ପିଲାଦିନ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କ ଏବଂ ତାଙ୍କ ଜୀବନକୁ ଗଢ଼ିତୋଳିଥିବା ବିଭିନ୍ନ ବ୍ୟକ୍ତିଗତ ଦୁଃଖଦ ଅନୁଭୂତିକୁ ଦର୍ଶାଏ।
୧୯୬୫ ମସିହାରେ ଇଂଲଣ୍ଡର କେମ୍ବ୍ରିଜ୍ରେ ୧୯ ବର୍ଷ ବୟସରେ ସୋନିଆ ଗାନ୍ଧୀ ପ୍ରଥମେ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲେ। ପରେ ସେମାନେ ବିବାହ କରିଥିଲେ ଏବଂ ସୋନିଆ ଗାନ୍ଧୀ ଦୀର୍ଘ ଦିନ ସମୟ ଧରି କଂଗ୍ରେସ ଦଳର ସର୍ବୋଚ୍ଚ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ପୁସ୍ତକଟିରେ ନେହେରୁ-ଗାନ୍ଧୀ ପରିବାରର ସଦସ୍ୟ ଭାବେ ତାଙ୍କର ଜୀବନ ଯାତ୍ରା ଏବଂ ଭାରତରେ ତାଙ୍କର ଅଭିଜ୍ଞତା ପ୍ରତିଫଳିତ ହୋଇଛି। ଲୋକସଭାରେ ବିରୋଧୀ ଦଳର ନେତା ତଥା ତାଙ୍କ ପୁଅ ରାହୁଲ ଗାନ୍ଧୀ ପୂର୍ବରୁ ଏହି ବହିକୁ ନେଇ ନିଜର ଉତ୍ସାହ ପ୍ରକାଶ କରିଥିଲେ। ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ରାହୁଲ କହିଥିଲେ ଯେ ତାଙ୍କ ମା’ଙ୍କର ଏହି ସୁନ୍ଦର କାହାଣୀକୁ ପଢ଼ିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି।
ଅନ୍ୟପକ୍ଷରେ, ଏହି ପୁସ୍ତକର ପ୍ରକାଶନକୁ ନେଇ ପୂର୍ବରୁ କିଛି ମତାନ୍ତର ଦେଖାଦେଇଥିଲା। ମୂଳତଃ ଏହା ଆଲଫ୍ରେଡ୍ ଏ କ୍ନଫ୍ ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇବାକୁ ଥିବାବେଳେ, ଭାରତୀୟ ସଂସ୍କରଣକୁ ନେଇ ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ ସହିତ ସମ୍ପାଦକୀୟ ପରିବର୍ତ୍ତନକୁ ନେଇ ମତଭେଦ ଉପୁଜିଥିଲା। ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଥିଲା। ତେବେ ପରେ ହାର୍ପରକଲିନ୍ସ ଇଣ୍ଡିଆ ଏହାର ଦେଶୀୟ ସଂସ୍କରଣ ପ୍ରକାଶ କରିବା ପାଇଁ ଆଗକୁ ଆସିଥିଲା ଏବଂ ଆନ୍ତର୍ଜାତୀୟ ପ୍ରକାଶନ ଦିନସାଙ୍ଗେ ଏହା ଭାରତୀୟ ପାଠକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।


