ବାଲେଶ୍ୱର: ନାବାଳିକା ହତ୍ୟା ମାମଲାରେ ପୁଲିସର କାର୍ଯ୍ୟକଳାପକୁ ନେଇ ବଢ଼ିଲା ବିବାଦ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ନାମ୍ଫ ଫାଣ୍ଡିର ଏସ୍ଆଇ କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ବାଲେଶ୍ୱର ଏସ୍ପି। ନିଖୋଜ ନାବାଳିକାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହେବା ପରେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ନାବାଳିକା ଜଣକ ପାଞ୍ଚ ଦିନ ଧରି ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହ ପୁଲିସକୁ ମଧ୍ୟ ଅଭିଯୋଗ କରିଥିଲେ। ତେବେ ପରିବାରର ଅଭିଯୋଗ ସତ୍ତ୍ୱେ ପୁଲିସ ଏଫ୍ଆଇଆର୍ ରଖିନଥିବା ଅଭିଯୋଗ ହୋଇଛି। ଶେଷରେ ଗତକାଲି ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିବା ପରେ ଘଟଣାଟି ଗୁରୁତର ରୂପ ନେଇଛି।
ନାବାଳିକା ନିଖୋଜ ହେବା ପରେ ପରିବାର ଲୋକଙ୍କ ଅଭିଯୋଗକୁ ପୁଲିସ କାହିଁକି ଗୁରୁତ୍ୱ ଦେଲାନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଠିକ୍ ସମୟରେ ଅଭିଯୋଗ ପଞ୍ଜୀକରଣ ଓ ତଦନ୍ତ ଆରମ୍ଭ ହୋଇଥିଲେ ଘଟଣାର ଭିନ୍ନ ପରିଣାମ ହୋଇଥାଆନ୍ତା କି ନାହିଁ, ଏହା ମଧ୍ୟ ଆଲୋଚନାର ବିଷୟ ହୋଇଛି।
ଏହି ପରିସ୍ଥିତିରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଏସ୍ଆଇ କରଣ ମାରାଣ୍ଡିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତେବେ ଏହି ବଦଳି ନିର୍ଦ୍ଦେଶ ପରେ ମଧ୍ୟ ନାବାଳିକାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏବଂ ଘଟଣାରେ କିଏ ସମ୍ପୃକ୍ତ, ତାହା ତଦନ୍ତରୁ ସ୍ପଷ୍ଟ ହେବ।


