ଛତ୍ରପୁର: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବାରୁ ଗଭୀର ସମୁଦ୍ରରେ ଫସିଯାଇଥିବା ଆନ୍ଧ୍ରପ୍ରଦେଶର ଦୁଇଟି ମାଛଧରା ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ ଭାବେ ଆଶ୍ରୟ ନେଇଛନ୍ତି। ସମୁଦ୍ର ଅଶାନ୍ତ ହେବା କାରଣରୁ ମାଛ ଧରିବାକୁ ଯାଇଥିବା ଏହି ଟ୍ରଲର ଦୁଇଟି ଫେରିବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଟ୍ରଲର ଦୁଇଟିକୁ ସୁରକ୍ଷିତ ଭାବେ ଆର୍ଯ୍ୟପଲ୍ଲୀ ଜେଟିକୁ ଆଣିବାର ବ୍ୟବସ୍ଥା କରିଥିଲା। ବର୍ତ୍ତମାନ ଉଭୟ ଟ୍ରଲର ଜେଟିରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ପୂର୍ବରୁ ମଧ୍ୟ ଗଞ୍ଜାମ ଉପକୂଳରେ ଖରାପ ପାଗ ଓ ଅଶାନ୍ତ ସମୁଦ୍ର ସମୟରେ ଆନ୍ଧ୍ରପ୍ରଦେଶରୁ ପ୍ରାୟ ୬୪ଟି ମାଛଧରା ଟ୍ରଲର ଆସି ଏଠାରେ ଆଶ୍ରୟ ନେଇଥିଲେ। ବର୍ତ୍ତମାନର ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁଣିଥରେ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


