Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରଠାରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ଉଦ୍‌ଯାପିତ
ଆଜିର ଖବର

ଭୁବନେଶ୍ୱରଠାରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ଉଦ୍‌ଯାପିତ

October 26, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
ବିକଶିତ ଭାରତ-୨୦୪୭ ପାଇଁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ
ବିକଶିତ ଭାରତ-୨୦୪୭ ପାଇଁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସହରାଞ୍ଚଳ ପ୍ରଶାସନ, ନଗର ଯୋଜନା ଓ ଜନସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ କାର୍ଯ୍ୟକାରୀ ପରାମର୍ଶ ସହ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ ରବିବାର ଭୁବନେଶ୍ୱରଠାରେ ଉଦ୍‌ଯାପିତ ହୋଇଯାଇଛି। ଏହି ସମାରୋହରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ଓଡ଼ିଶାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା, ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସହରାଞ୍ଚଳ ବିକାଶ ବିଭାଗର ସଚିବ ସତେନ୍ଦ୍ର ସିଂହ ଏବଂ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇଥିଲେ।

ଉଦ୍‌ଯାପନୀ ଅଭିଭାଷଣରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଭାରତର ସହରୀକରଣର ଐତିହାସିକ ବିକାଶଧାରା ଏବଂ ସହରାଞ୍ଚଳ ଭିତ୍ତିଭୂମି ଓ ସେବାର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଆମ ସହରଗୁଡ଼ିକ ଭବିଷ୍ୟତରେ ସାମ୍ନା କରିବାକୁ ଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିବା ହିଁ ଏହି ସମ୍ମିଳନୀର ଉଦ୍ଦେଶ୍ୟ।” ଏହି ଅବସରରେ ସେ ଅମୃତ ଯୋଜନା, ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଏବଂ ପିଏମ୍ ସ୍ୱନିଧି ଭଳି ଜାତୀୟ ଅଭିଯାନ ମାଧ୍ୟମରେ ପାନୀୟ ଜଳ ଓ ପରିମଳ ସେବାର ସମ୍ପ୍ରସାରଣ, ଆବର୍ଜନା ପରିଚାଳନାରେ ଉନ୍ନତି, ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ଉଲ୍ଲେଖ କରିଥିଲେ। ନିଯୁକ୍ତି କେନ୍ଦ୍ର ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ନିକଟରେ ସୁଲଭ ମୂଲ୍ୟରେ ଗୃହ ଉପଲବ୍ଧ କରାଇବା, ନିର୍ମାଣ କ୍ଷେତ୍ରରେ ପୁନଃଚକ୍ରଣ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ପୁରୁଣା ଆବର୍ଜନାକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଦେଶର ଅଧାରୁ ଅଧିକ ପୁରୁଣା ଆବର୍ଜନାର ବୈଜ୍ଞାନିକ ନିଷ୍କାସନ ହୋଇସାରିଥିବା ଉଲ୍ଲେଖ କରିବା ସହ ଏହି ପ୍ରୟାସକୁ ଜାରି ରଖିବା ଏବଂ ନୂଆ ଆବର୍ଜନା ଜମା ହେବାକୁ ରୋକିବା ଆବଶ୍ୟକ ବୋଲି ସେ କହିଥିଲେ।

ଉଦ୍‌ଯାପନୀ ଅଧିବେଶନରେ ସ୍ୱାଗତ ଭାଷଣ ଦେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସହରାଞ୍ଚଳ ବିକାଶ ସଚିବ ସତେନ୍ଦ୍ର ସିଂହ ସାତଟି ବୈଷୟିକ ଅଧିବେଶନର ମୁଖ୍ୟ ନିଷ୍କର୍ଷ ଉପରେ ଆଲୋକପାତ କରିଥିଲେ। ନୀତିଗତ ଆଲୋଚନାକୁ କାର୍ଯ୍ୟକାରୀଯୋଗ୍ୟ ସହରାଞ୍ଚଳ ସମାଧାନରେ ପରିଣତ କରିବା ଉପରେ ସେ ଜୋର୍ ଦେଇଥିଲେ। ସେ କହିଥିଲେ, “କେବଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନୁହେଁ, ବରଂ ସେବାର ଗୁଣବତ୍ତା ଆଧାରରେ ସଫଳତା ମପାଯିବା ଉଚିତ।” ଜନସେବାର ଉନ୍ନତି ପାଇଁ ଅନୁଷ୍ଠାନଗୁଡ଼ିକର କ୍ଷମତା ବୃଦ୍ଧି, ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ, ପୌରସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଭାବନାକୁ ଦୋହରାଇ ସେ କହିଥିଲେ ଯେ, ସମ୍ମିଳନୀର ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରଣାଳୟ ରାଜ୍ୟ, ସହର ଓ ସହଯୋଗୀ ଅନୁଷ୍ଠାନଗୁଡ଼ିକ ସହ ମିଶି କାମ କରିବ।

ଏହି ଅବସରରେ ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା ଦେଶରେ ଦ୍ରୁତ ସହରୀକରଣକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ସହରାଞ୍ଚଳ ଶାସନ, ନଗର ଯୋଜନା ଓ ପୌର ଆର୍ଥିକ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି କହିଥିଲେ। ସେ କହିଥିଲେ, “ଆମେ ରାଜ୍ୟ ରାଜଧାନୀରୁ ସହରଗୁଡ଼ିକୁ ପରିଚାଳନା କରିପାରିବା ନାହିଁ। ଛୋଟ ସହରଗୁଡ଼ିକୁ ଅଧିକ କ୍ଷମତା ଦେବା ଆବଶ୍ୟକ।” ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତା ଓ ଆର୍ଥିକ ସ୍ୱାଧୀନତା ପ୍ରଦାନ, ସହର ନେତୃତ୍ୱକୁ ସଶକ୍ତ କରିବା ଏବଂ ପୌରସଂସ୍ଥାଗୁଡ଼ିକର ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିଜସ୍ୱ ରାଜସ୍ୱ ଉତ୍ସକୁ ସୁଦୃଢ଼ କରିବା, ପାରମ୍ପରିକ ଜମି ବ୍ୟବହାର ଯୋଜନାରେ ସଂସ୍କାର ଆଣିବା, ଅଧିକ ଜନଘନତା ବିଶିଷ୍ଟ ଆବାସିକ କ୍ଷେତ୍ର, ମିଶ୍ରିତ ଜମି ବ୍ୟବହାର ଏବଂ ପରିବହନକୈନ୍ଦ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଦ୍ୱାରା ଗୃହ ମୂଲ୍ୟକୁ ସୁଲଭ କରିବା ସହ ଆର୍ଥିକ ଉତ୍ପାଦକତା ବଢ଼ାଯାଇପାରିବ ବୋଲି ସେ ମତ ଦେଇଥିଲେ। ସହରାଞ୍ଚଳ ଆହ୍ୱାନ ପାଣ୍ଠି ଏବଂ ସହର ଆର୍ଥିକ ଅଞ୍ଚଳ ଭଳି ପଦକ୍ଷେପଗୁଡ଼ିକର ଉଲ୍ଲେଖ କରି ଶ୍ରୀ ଗୌବା ରାଜ୍ୟଗୁଡ଼ିକୁ ମୌଳିକ ସଂସ୍କାର ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଜାତୀୟ ସହରାଞ୍ଚଳ ଅଭିଯାନ ଅଧୀନରେ ମିଳୁଥିବା ଅର୍ଥକୁ ଏହି ସଂସ୍କାରର କାର୍ଯ୍ୟକାରିତା ସହ ଯୋଡ଼ିବା ଦ୍ୱାରା ସହରଗୁଡ଼ିକୁ ଅଭିବୃଦ୍ଧିର ପ୍ରମୁଖ ଚାଳକ ଭାବେ ବିକଶିତ କରାଯାଇପାରିବ ଏବଂ ବିକଶିତ ଭାରତ-୨୦୪୭ର ସ୍ୱପ୍ନ ପୂରଣ ଦିଗରେ ଅଗ୍ରସର ହୋଇହେବ ବୋଲି ସେ କହିଥିଲେ।

ସାତଟି ବୈଷୟିକ ଅଧିବେଶନ

ଏହି ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନରେ ସହରାଞ୍ଚଳ ଶାସନ, ନଗର ଯୋଜନା, ଭିତ୍ତିଭୂମି ଏବଂ ଜନସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ନୀତିଗତ ଆଲୋଚନାରୁ ମିଳିଥିବା ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ ରୂପ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାତଟି ବୈଷୟିକ ଅଧିବେଶନରେ ହୋଇଥିବା ଆଲୋଚନାକୁ ଆଧାର କରି ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶିଳ୍ପ ଜଗତ, ଶିକ୍ଷାବିତ୍ ଏବଂ ବିଭିନ୍ନ ଗବେଷଣା ଓ ଜ୍ଞାନଭିତ୍ତିକ ଅନୁଷ୍ଠାନର ପ୍ରତିନିଧିମାନେ ଏକାଠି ହୋଇଥିଲେ। ଦେଶରେ ପରିବର୍ତ୍ତିତ ସହରାଞ୍ଚଳ ଆହ୍ୱାନଗୁଡ଼ିକର ବ୍ୟବହାରିକ ସମାଧାନ ଚିହ୍ନଟ କରିବା ସହ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟକୁ ଆଗେଇ ନେବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

୧. ଚାଲିବା ଅଧିକାର: ପଦଚାରୀଙ୍କ ପାଇଁ ଉପଯୁକ୍ତ ରାସ୍ତା, ଯୋଜନାରେ ସମନ୍ୱୟ, ସ୍ପଷ୍ଟ ଦାୟିତ୍ୱ ଓ ପାଣ୍ଠିର ଅଭାବ ଭଳି ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଆଇନଗତ ନଗର ଯୋଜନାରେ ପଦଚାରୀଙ୍କ ଅଧିକାରକୁ ସାମିଲ କରିବା, ଭିତ୍ତିଭୂମିର ଗୁଣବତ୍ତା, ରକ୍ଷଣାବେକ୍ଷଣ ଓ ସ୍ୱତନ୍ତ୍ର ଅର୍ଥ ଯୋଗାଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଥିଲା।

୨. ଜଳ, ଆବର୍ଜନା ଓ ସମ୍ବଳର ଦକ୍ଷ ଉପଯୋଗ: ଜଳ ଯୋଗାଣ, ବର୍ଜ୍ୟଜଳ ଓ କଠିନ ଆବର୍ଜନା ପରିଚାଳନା ପାଇଁ ସମନ୍ୱିତ ଯୋଜନା, ନିୟମିତ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ଏବଂ ଭିତ୍ତିଭୂମିର ଦୀର୍ଘକାଳୀନ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବ୍ୟବହୃତ ଜଳର ପୁନଃବ୍ୟବହାର, ଆବର୍ଜନାରୁ ଉପଯୋଗୀ ସମ୍ବଳ ପୁନରୁଦ୍ଧାର ଓ ଏଥିରୁ ମିଳୁଥିବା ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବାକୁ ସୁପାରିସ କରାଯାଇଥିଲା।

୩. ସୁଲଭ ଗୃହ: ଚାହିଦା ଓ ଯୋଗାଣର ଗତିଶୀଳତା: ସୁଲଭ ମୂଲ୍ୟରେ ଘର ଯୋଗାଇବା ପାଇଁ ଜମି ସଂରକ୍ଷଣ, ନିଯୁକ୍ତି କେନ୍ଦ୍ର ଓ ଯାତାୟାତ ବ୍ୟବସ୍ଥା ସହ ଗୃହ ନିର୍ମାଣକୁ ଯୋଡ଼ିବା ଏବଂ ଭଡ଼ା ଘର ପାଇଁ କାର୍ଯ୍ୟକ୍ଷମ ମଡେଲ୍ ବିକଶିତ କରିବାକୁ ପରାମର୍ଶ ଦିଆଯାଇଥିଲା। ସିଙ୍ଗଲ ଓ୍ବିଣ୍ଡୋ ଅନୁମୋଦନ, ଏଫ୍ଏଆର୍ ଓ ଟିଡିଆର୍ ଭଳି ପ୍ରୋତ୍ସାହନ, ସରକାରୀ-ଘରୋଇ ସହଭାଗିତା ଏବଂ ଉନ୍ନତ ନିର୍ମାଣ ମାଧ୍ୟମରେ ଦୀର୍ଘକାଳୀନ ସୁଲଭତା ସୁନିଶ୍ଚିତ କରିବାକୁ ସୁପାରିସ କରାଯାଇଥିଲା।

୪. ସମନ୍ୱିତ ସହର ବିକାଶ ଓ ଭିତ୍ତିଭୂମି ଯୋଗାଣ: ଜିଆଇଏସ୍ ଆଧାରିତ ସମନ୍ୱିତ ତଥ୍ୟଭଣ୍ଡାର ମାଧ୍ୟମରେ ସ୍ଥାନିକ ଯୋଜନା ଓ ଭିତ୍ତିଭୂମି ଯୋଜନାକୁ ଏକାଠି କରିବା ସହ ପରିବହନକୈନ୍ଦ୍ରିକ ବିକାଶ ଓ ବିଭିନ୍ନ କ୍ଷେତ୍ରର ପୁଞ୍ଜିନିବେଶ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନାଗରିକଙ୍କ ମତାମତ ଆଧାରରେ ସହରାଞ୍ଚଳ ପଦକ୍ଷେପ, ଜମିଭିତ୍ତିକ ଅର୍ଥ ଯୋଗାଣ ଏବଂ ପୌରସଂସ୍ଥାଗୁଡ଼ିକର ଋଣ ପରିଶୋଧ କ୍ଷମତା ଓ ଆର୍ଥିକ ବିଶ୍ୱସନୀୟତା ବୃଦ୍ଧି କରିବାକୁ ସୁପାରିସ କରାଯାଇଥିଲା।

୫. ସହରାଞ୍ଚଳ ସେବା ପ୍ରଦାନର ନୂତନ ଦିଗ: କେବଳ ଭିତ୍ତିଭୂମି ନିର୍ମାଣ ପରିବର୍ତ୍ତେ ଫଳାଫଳଭିତ୍ତିକ ସେବା ପ୍ରଦାନ, ପୌରସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଏବଂ ଡିଜିଟାଲ୍ ମାଧ୍ୟମରେ ସେବାର ତଦାରଖକୁ ସୁଦୃଢ଼ କରିବା ଉପରେ ଜୋର୍ ଦିଆଯାଇଥିଲା। କାର୍ଯ୍ୟଦକ୍ଷତାଭିତ୍ତିକ ଚୁକ୍ତି, ଦକ୍ଷ ପୌର କର୍ମଚାରୀ ବର୍ଗ, ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧି ଏବଂ ନାଗରିକକୈନ୍ଦ୍ରିକ ସେବା ପାଇଁ ଜାତୀୟ ଢାଞ୍ଚା ପ୍ରସ୍ତୁତ କରିବାକୁ ସୁପାରିସ କରାଯାଇଥିଲା।

୬. ଆଦର୍ଶ ନିର୍ମାଣ ନିୟମାବଳୀ: ନିର୍ମାଣ ନିୟମ ଓ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସମନ୍ୱିତ ଡିଜିଟାଲ୍ ମଞ୍ଚ, ବିପଦଭିତ୍ତିକ ଯାଞ୍ଚ ଓ ସ୍ୱଘୋଷଣା ବ୍ୟବସ୍ଥା ପ୍ରଚଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଫ୍ଏଆର୍, ଜନଘନତା ଓ ପାର୍କିଂ ନିୟମର ପୁନର୍ବିନ୍ୟାସ, ମିଶ୍ରିତ ଜମି ବ୍ୟବହାର, ଜଳବାୟୁ ସହନଶୀଳତା, ବିପର୍ଯ୍ୟୟ ସୁରକ୍ଷା ଏବଂ ପରିବେଶ ଅନୁକୂଳ ନିର୍ମାଣକୁ ପ୍ରୋତ୍ସାହନ ଦେବାକୁ ସୁପାରିସ କରାଯାଇଥିଲା।

୭. ଆଦର୍ଶ ପୌର ଆଇନ: ମେୟରମାନଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ରଖିବା, ସେମାନଙ୍କୁ ସ୍ପଷ୍ଟ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ ଏବଂ ପୌରସଂସ୍ଥାଗୁଡ଼ିକୁ ଅଧିକ ଦାୟିତ୍ୱ ଓ କ୍ଷମତା ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା। ଆର୍ଥିକ ସ୍ୱାୟତ୍ତତା, ନିଜସ୍ୱ ରାଜସ୍ୱ ବୃଦ୍ଧି, ବୈଷୟିକ କର୍ମଚାରୀ ନିଯୁକ୍ତି, ୱାର୍ଡ ଓ ଜୋନାଲ୍ କମିଟିଗୁଡ଼ିକୁ ସଶକ୍ତ କରିବା ଏବଂ ରାଜ୍ୟସ୍ତରୀୟ ପରାମର୍ଶ ଓ କାର୍ଯ୍ୟକାରିତା ଢାଞ୍ଚା ମାଧ୍ୟମରେ ୨୦୦୩ର ଆଦର୍ଶ ପୌର ଆଇନ ସଂଶୋଧନ କରିବାକୁ ସୁପାରିସ କରାଯାଇଥିଲା।

ଏହି ସମ୍ମିଳନୀର ଦ୍ୱିତୀୟ ଦିନରେ ବିଶୋଧିତ ବ୍ୟବହୃତ ଜଳର ପୁନଃଚକ୍ରଣ ଓ ପୁନଃବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ବୈଷୟିକ ସହଯୋଗ ସୁଦୃଢ଼ କରିବା ନିମନ୍ତେ ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (JICA) ଏବଂ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଓ ପରିବେଶ ଯାନ୍ତ୍ରିକ ସଂଗଠନ (CPHEEO) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

‘ବିକଶିତ ଭାରତ @୨୦୪୭ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବରେ ପୁଣି ଫୁଟିଲା ଗୁଳି, ମୋଗାରେ ୪ ଜଣ ଆହତ; ଭଗବନ୍ତ ମାନ ସରକାରଙ୍କୁ ଘେରିଲେ ବିରୋଧୀ

October 26, 2026

ଇ-ସ୍କୁଟର ବନାମ ପେଟ୍ରୋଲ ସ୍କୁଟର: ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩୬୫ ଦିନର ଖର୍ଚ୍ଚ

October 26, 2026

ମୋଦୀଙ୍କୁ ନେଇ ଖାର୍ଗେଙ୍କ ବୟାନରେ ରାଜନୈତିକ ଝଡ଼, ଚିରାଗଙ୍କ ଟାର୍ଗେଟ୍‌ରେ କଂଗ୍ରେସ

October 26, 2026

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା!, ୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

October 26, 2026
Latest News

ପଞ୍ଜାବରେ ପୁଣି ଫୁଟିଲା ଗୁଳି, ମୋଗାରେ ୪ ଜଣ ଆହତ; ଭଗବନ୍ତ ମାନ ସରକାରଙ୍କୁ ଘେରିଲେ ବିରୋଧୀ

October 26, 2026

ଇ-ସ୍କୁଟର ବନାମ ପେଟ୍ରୋଲ ସ୍କୁଟର: ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩୬୫ ଦିନର ଖର୍ଚ୍ଚ

October 26, 2026

ମୋଦୀଙ୍କୁ ନେଇ ଖାର୍ଗେଙ୍କ ବୟାନରେ ରାଜନୈତିକ ଝଡ଼, ଚିରାଗଙ୍କ ଟାର୍ଗେଟ୍‌ରେ କଂଗ୍ରେସ

October 26, 2026

ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ଓ ପରମ୍ପରା

October 26, 2026

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା!, ୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.