ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରୁ ଏକ ବଡ଼ ସଫଳତା ସାମ୍ନାକୁ ଆସିଛି। ଭଞ୍ଜପୁର ଥାନା ଅନ୍ତର୍ଗତ ଜମୁନାଦେଈପୁର ଅଞ୍ଚଳରୁ ଗତକାଲି ନିଖୋଜ ହୋଇଥିବା ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅପହରଣକାରୀକୁ ମଧ୍ୟ କାବୁ କରାଯାଇ ପୋଲିସ ଜିମା ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଶିଶୁ କନ୍ୟାଟି ହେଉଛନ୍ତି ସୁନୀଲ କୁମାର ସୋରେନ ଏବଂ ଚାନ୍ଦମଣି ମୁର୍ମୁଙ୍କ ଝିଅ। ସେମାନଙ୍କର ପ୍ରକୃତ ଘର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲାକ୍ଷଣସାହି ଅଞ୍ଚଳରେ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ବାରିପଦାର ଜମୁନାଦେଈପୁର ଠାରେ ଏକ ଭଡ଼ାଘରେ ରହିଆସୁଛନ୍ତି।
ଗତକାଲି ଦିନ ୪ ବର୍ଷର ଶିଶୁ କନ୍ୟାଟି ନିଜ ଘର ନିକଟରେ ଖେଳୁଥିବା ସମୟରେ ଅଚାନକ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଏହା ଦେଖି ଝିଅକୁ ଚତୁର୍ଦ୍ଦିଗରେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଶେଷରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ଝିଅକୁ ଅପହରଣ କରି ନେଇଥିବା ନେଇ ପରିବାର ପକ୍ଷରୁ ଭଞ୍ଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ପରିବାରର ଏଭଳି ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ତେବେ ଆଜି ସକାଳୁ ହଠାତ୍ ସେହି ଦୁର୍ବୁତ୍ତ ଜଣକ ଶିଶୁ କନ୍ୟାଟିକୁ ଆସି ପୁଣି ଘର ନିକଟରେ ଛାଡ଼ିଦେଇ ପଳାୟନ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ସ୍ଥାନୀୟ ସତର୍କ ଲୋକମାନେ ତାଙ୍କୁ ଦେଖିବାକୁ ପାଇଥିଲେ ଏବଂ ତତକ୍ଷଣାତ୍ ସାହସିକତାର ପରିଚୟ ଦେଇ ଅଭିଯୁକ୍ତକୁ କାବୁ କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସକୁ ଖବର ଦେବା ସହିତ ଅଭିଯୁକ୍ତକୁ ପୋଲିସର ଜିମା ଦିଆଯାଇଥିଲା।
ବର୍ତ୍ତମାନ ଭଞ୍ଜପୁର ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଅପହରଣକାରୀ ଜଣକ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପୋଲିସ ସନ୍ଦେହ କରୁଛି। ତେବେ କେଉଁ ଉଦ୍ଦେଶ୍ୟରେ ଏବଂ କେଉଁ କାରଣରୁ ସେ ଏହି ଶିଶୁ କନ୍ୟାକୁ ଅପହରଣ କରିଥିଲା ଏବଂ ଗତ ରାତିସାରା ଶିଶୁଟିକୁ ସେ କେଉଁ ସ୍ଥାନରେ ଲୁଚାଇ ରଖିଥିଲା, ସେ ସମ୍ପର୍ଣ୍ଣ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ପୋଲିସ ଗଭୀର ଭାବେ ତଦନ୍ତ ଚଳାଇଛି। ଛୋଟ ଶିଶୁଟି ସୁରକ୍ଷିତ ଭାବେ ଘରକୁ ଫେରିବା ପରେ ପରିବାର ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।


