ବ୍ରହ୍ମପୁର: ସହରରେ ଘଟିଥିବା ଏକ ମୋବାଇଲ୍ ଛିନତାଇ ମାମଲାରେ ବ୍ରହ୍ମପୁର ଟାଉନ୍ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ମୋବାଇଲ୍ ଓ ଅପରାଧରେ ବ୍ୟବହୃତ ବାଇକ୍ ଜବତ କରିଛି। ଏ ନେଇ ଟାଉନ୍ ଥାନାରେ କେସ୍ ନଂ ୪୫୪/୨୦୨୬, ବିଏନଏସ ଧାରା ୩୦୯(୪) ରେ ମାମଲା ରୁଜୁ ହୋଇଛି।
ଗିରଫ ଅଭିଯୁକ୍ତ ହେଉଛନ୍ତି ବଳିଆ ସାହୁ (୩୦)। ସେ ବ୍ରହ୍ମପୁର ଭାବିନୀପୁର ଦାନୁଆ ଷ୍ଟ୍ରିଟ୍ରେ ରହୁଥିଲେ।
କ’ଣ ଘଟିଥିଲା?
ସେପ୍ଟେମ୍ବର ୨୯ ତାରିଖରେ ପାଣ୍ଡବ ବେହେରା (୨୬) ରେଳ ଷ୍ଟେସନରୁ ଫେରୁଥିବା ବେଳେ SBR ମହିଳା ମହାବିଦ୍ୟାଳୟ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ୨ଟି ମୋବାଇଲ୍, ହାତଘଣ୍ଟା ଓ ବ୍ଲୁଟୁଥ୍ ବକ୍ସ ଛଡ଼ାଇ ନେଇଥିଲେ।
ପୁଲିସ ଚୋରି ହୋଇଥିବା ଭିବୋ ଟି-୨ ପ୍ରୋ ଫୋନ୍ର ଟେକ୍ନିକାଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ତାଙ୍କ ନିକଟରୁ ଫୋନ୍ ସହ ଓଆର-୦୭-ଏଏନ-୩୫୫୭ ନମ୍ବରର ବଜାଜ ସିଟି ୧୦୦ ବାଇକ୍ ଜବତ ହୋଇଛି। ଅକ୍ଟୋବର ୨୩ ତାରିଖରେ ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ମନୋଜ ସାହୁ ଓ ଗୌତମ ସାହୁ ଓରଫ ଭାଲୁ ଏବେ ବି ଫେରାର୍ ଅଛନ୍ତି।
ଥାନାରୁ ଫେରାର୍ ଚର୍ଚ୍ଚା
ଏହି ମାମଲାରେ ଅଭିଯୁକ୍ତ ଜଣକ ଥାନା ଭିତରୁ ଫେରାର୍ ହୋଇଯାଇଥିବା ପରେ ପୁଣି ଧରାପଡ଼ିଥିବା ଚର୍ଚ୍ଚା ହେଉଛି। ଥାନାର CCTV ଫୁଟେଜ୍ ଯାଞ୍ଚ କଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପୁଲିସ ତଦନ୍ତ ଜାରି ରଖିଛି।


