ଭୁବନେଶ୍ୱର: ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଆଜି ସକାଳ ସାଢ଼େ ୫ଟାରେ ବାତ୍ୟା (ଅର୍ଣ୍ଣବ)ର ରୂପ ନେଇଛି। ଆଜି ମଧ୍ୟରାତ୍ର ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଏକ ‘ଭୀଷଣ ବାତ୍ୟା’ର ରୂପ ନେଇପାରେ। ଆସନ୍ତାକାଲି ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୮ ତାରିଖରେ ଏହା ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହେବ। ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୯୦ କିମି ପର୍ଯ୍ୟନ୍ତ ରହିବ। ୨୮ ତାରିଖ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅର୍ଣ୍ଣବ। ସମ୍ପ୍ରତି ଘଣ୍ଟାପ୍ରତି ୧୭ କିମି ବେଗରେ ଆଗକୁ ବଢ଼ୁଛି ‘ଅର୍ଣ୍ଣବ’। ଏହା ୟାନମ ଓ କାକିନାଡ଼ା ପାର୍ଶ୍ୱ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିମି ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୪୦ କିମି ପର୍ଯ୍ୟନ୍ତ ଯାଇପାରେ।୨୭ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୯ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ଛତିଶଗଡ଼ ଅଭିମୁଖେ ଅଗ୍ରସର ହେବ। ୩୦ ତାରିଖ ସକାଳ ବେଳକୁ ଏହାର ପ୍ରଭାବ କମି ଯାଇଥିବ।
ଆସନ୍ତାକାଲି (ଅକ୍ଟୋବର ୨୭) ସକାଳ ସାଢ଼େ ୮ଟାରୁ ୨୮ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଇଏମ୍ଡି ପକ୍ଷରୁ ୨୬ ଅକ୍ଟୋବର ରାତି ୯ଟା ୧୪ ମିନିଟ୍ରେ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଓ ତାହାର ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗର ଉପରେ ରହିଛି। ଏହା ଗୋପାଳପୁରଠାରୁ ପ୍ରାୟ ୫୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ବିଶାଖାପାଟଣାଠାରୁ ପ୍ରାୟ ୫୮୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ଅବସ୍ଥିତ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲା ଯେପରିକି ୧. ଗଞ୍ଜାମ, ୨. ଗଜପତି, ୩. ରାୟଗଡ଼ା, ୪. କୋରାପୁଟ, ୫. ମାଲକାନଗିରି ରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସୁତରାଂ ଏହି ୫ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ୨୮ ଅକ୍ଟୋବରରେ ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ସେହିପରି ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖ ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମାଇକ୍ରୋ ପ୍ଲାନ୍। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।


