ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତରେ ପୁଣି ଥରେ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା ପ୍ରଶାସନ ପକ୍ଷରୁ ସୀମାନ୍ତ ସୁରକ୍ଷା ପାଇଁ ତିନୋଟି ପୁଲିସ୍ ଆଉଟ୍ପୋଷ୍ଟ୍ ସ୍ଥାପନ କରାଯିବାର ୨୪ ଘଣ୍ଟା ନପୁରୁଣୁ, ଆନ୍ଧ୍ର ପୁୂଲିସ୍ ଓଡ଼ିଶା ସୀମା ଭିତରକୁ ପଶି ପାଲଟା ଫୋର୍ସ ମୁତୟନ କରିବା ସହ ନିଜସ୍ୱ ପୁଲିସ୍ ପୋଷ୍ଟ୍ ଛିଡ଼ା କରିବା ଘଟଣା ସୀମାନ୍ତରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟାମ୍ ଜିଲ୍ଲା ଏସ୍ପି ମାଧବ ରେଡ୍ଡୀଙ୍କ ନିର୍ଦ୍ଦେଶରେ ଡିଏସ୍ପି ଶେସାୟା ଏକ ବିଶାଳ ପୋଲିସ୍ ଫୋର୍ସ ସହ ନେରିଡ଼ିବାଲସା ଗ୍ରାମରେ ଅନୁପ୍ରବେଶ କରିଥିଲେ। ସେଠାରେ ଥିବା ଆନ୍ଧ୍ରର ଆଇଟିଡିଏ ଗୃହରେ ପ୍ରସ୍ତାବିତ ୧୦ଟି ୱାର୍ଡ ପାଇଁ ବୁଥ୍ ବ୍ୟବସ୍ଥାର ତଦାରଖ କରିବା ପରେ ପୁଲିସ୍ ଦଳ ତଳସେମ୍ବି ଗ୍ରାମକୁ ଯାଇ ସେଠାରେ ଏକ ନୂତନ ପୋଷ୍ଟ୍ ସ୍ଥାପନ କରିଥିଲେ। ଏହାପରେ ଉପରସେମ୍ବି ଗସ୍ତ କରି ପୂର୍ବରୁ ମୁତୟନ ଥିବା ଆନ୍ଧ୍ର ପୁଲିସ୍ କର୍ମଚାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ ଏବଂ ଫଗୁଣସିନେରୀ ଓ ଫାଟୁସିନେରୀ ଅଞ୍ଚଳ ବୁଲି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଗସ୍ତ କାଳରେ ଆନ୍ଧ୍ର ଡିଏସ୍ପି ବିଭିନ୍ନ ଗ୍ରାମ ମଧ୍ୟରେ ଥିବା ଭୌଗୋଳିକ ଦୂରତାର ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି। ହି ଗସ୍ତ ସମୟରେ ଆନ୍ଧ୍ରର କୋଟିଆ ସର୍କଲ ଇନ୍ସପେକ୍ଟର (ସିଆଇ) ଦାଶରଥି ଏବଂ ସାଲୁର୍ ରୁରାଲ୍ ସର୍କଲ ଇନ୍ସପେକ୍ଟର ପି. ରାମକୃଷ୍ଣ ଉପସ୍ଥିତ ଥିଲେ।
ଅନ୍ୟପକ୍ଷେ ସେପଟେ ଓଡ଼ିଶା ପ୍ରଶାସନ ପକ୍ଷରୁ ସୀମାରେ ନିଜର ଦଖଲ ମଜଭୁତ କରିବାକୁ ତିନୋଟି ପୁଲିସ୍ ଆଉଟ୍ପୋଷ୍ଟ୍ ବସାଯିବା ପରେ ଆନ୍ଧ୍ରର ଏହି ତତ୍ପରତା ବିବାଦକୁ ଅଧିକ ଜଟିଳ କରିଛି। ଅନ୍ୟପକ୍ଷରେ, ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରୁ କେତେକ ଆଗାମୀ ଦିନରେ ଆନ୍ଧ୍ର ସପକ୍ଷରେ ମତଦାନ କରିବାକୁ ରୋକଠୋକ୍ ଜଣାଇଥିବାରୁ ଏହା ଓଡ଼ିଶା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ସୂଚନାଯୋଗ୍ୟ, ଗୋଟିଏ ପଟେ ଓଡ଼ିଶା ପୁଲିସ୍ ପକ୍ଷରୁ ନିୟୋଜିତ ପୋଲିସ ଅଧିକାରୀ ଓ କର୍ମଚାରୀ ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ସମ୍ଭାବ୍ୟ ଅନୁପ୍ରବେଶ ଓ ନିର୍ବାଚନୀ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ପୋଲିସର ଏହି ପଦକ୍ଷେପ। ଅନ୍ୟପକ୍ଷେ କୋଟିଆରେ ଜୋରଦାର ହୋଇଛି ଆନ୍ଧ୍ରର ନିର୍ବାଚନୀ ପ୍ରଚାର। ଆସନ୍ତା ୩ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥିବାରୁ ଟିଡିପି, ୱାଇଏସଆର କଂଗ୍ରେସ ସମେତ ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଲାଗିପଡ଼ିଛନ୍ତି। କୋଟିଆ ପଞ୍ଚାୟତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପ୍ରଶାସନ ମଧ୍ୟରେ ଉପୁଜିଥିବା ଏହି ଉତ୍ତେଜନା କୌଣସି ନୂଆ ଘଟଣା ନୁହେଁ; ଏହା ପ୍ରାୟ ଆଠ ଦଶନ୍ଧି ଧରି ଲାଗି ରହିଥିବା ଏକ ଐତିହାସିକ ସୀମା ବିବାଦର ଅଂଶବିଶେଷ। ଏହି ଅଞ୍ଚଳରେ ନିଜର ପ୍ରଶାସନିକ କର୍ତ୍ତୃତ୍ୱ ଜାହିର କରିବା ଏବଂ ଭୋଟରମାନଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଉଭୟ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଲାଗିରହିଛି।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ଗ୍ରାମ ପଞ୍ଚାୟତ ମୋଟ ୨୮ଟି ଗ୍ରାମକୁ ନେଇ ଗଠିତ। ଏଥିମଧ୍ୟରୁ ୭ଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ ନିର୍ବିବାଦୀୟ ଏବଂ ଓଡ଼ିଶା ପ୍ରଶାସନ ଅଧୀନରେ ରହିଛି। କିନ୍ତୁ ବାକି ୨୧ଟି ଗ୍ରାମ (ଯେପରିକି ନେରିଡ଼ିବାଲସା, ତଳସେମ୍ବି, ଉପରସେମ୍ବି, ଫଗୁଣସିନେରୀ, ଫାଟୁସିନେରୀ, ଧୂଳିଗପଦର ଇତ୍ୟାଦି) ଉପରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ନିଜର ଦାବି ଉପସ୍ଥାପନ କରିଆସୁଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଏହି ଗ୍ରାମଗୁଡ଼ିକୁ ପାର୍ବତୀପୁରମ୍ ମାନ୍ୟାମ୍ ଜିଲ୍ଲା (ପୂର୍ବର ବିଜିଆନଗରମ୍ ଜିଲ୍ଲା) ଅଧୀନସ୍ଥ ସାଲୁର୍ ମଣ୍ଡଳ ମଧ୍ୟରେ ଅନ୍ତର୍ଭୁକ୍ତ କରିଛନ୍ତି।


