ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଟବ’କୁ ନେଇ ପ୍ରଶାସନସ୍ତରରେ ପ୍ରସ୍ତୁତି ମଧ୍ୟରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବାତ୍ୟା ଓ ପ୍ରତିକୂଳ ପାଗକୁ ନେଇ ସୋସିଆଲ ମିଡିଆରେ ମନଗଢ଼ା ତଥ୍ୟ, ଅଣପ୍ରମାଣିତ ଟ୍ରାକ୍ ଓ ଆତଙ୍କ ସୃଷ୍ଟି ଭଳି ପୂର୍ବାନୁମାନ କରୁଥିବା ତଥାକଥିତ ପାଣିପାଗ ବିଶେଷଜ୍ଞ ଓ ଡିଜିଟାଲ କଣ୍ଟେଟ କ୍ରିଏଟରଙ୍କ ଉପରେ ସାଇବର ପୁଲିସ ନଜର ରଖିଛନ୍ତି। କୌଣସି ବୈଜ୍ଞାନିକ ପ୍ରମାଣ କିମ୍ବା ଆନୁଷ୍ଠାନିକ ଆକଳନ ନଥାଇ ସୋସିଆଲ ମିଡିଆରେ ମନଇଚ୍ଛା ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ସମ୍ପର୍କରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଭଳି ମିଥ୍ୟା ଆଲର୍ଟ ପ୍ରଚାର କରି ବିପର୍ଯ୍ୟୟ ପ୍ରସ୍ତୁତିରେ ବାଧା ସୃଷ୍ଟି କଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ସିଧାସଳଖ ବର୍ଷେ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଜୋରିମାନାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଏସଆରସି ରାଜେଶ ପ୍ରଭାକର ପାଟିଲ ଆଜି ସତର୍କ କରାଇ ଦେଇଛନ୍ତି।
ଏସ୍ଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ହେଉଛି ବାତ୍ୟା ଓ ପାଣିପାଗ ସମ୍ପର୍କିତ ସରକାରୀ ସୂଚନା ଦେବା ପାଇଁ ଏକମାତ୍ର ଅଧିକୃତ ଜାତୀୟ ସଂସ୍ଥା। କିନ୍ତୁ କିଛି ବ୍ୟକ୍ତି ଓ ସୋସିଆଲ ମିଡିଆ ପେଜ୍ ନିଜର ଭ୍ୟୁ ବଢ଼ାଇବା ପାଇଁ ଅବୈଜ୍ଞାନିକ ଲ୍ୟାଣ୍ଡଫଲ୍ ସ୍ଥାନ ଓ ମନଗଢ଼ା ତୀବ୍ରତା ଦର୍ଶାଇ ପ୍ରଚାର ଚଳାଇଛନ୍ତି। ଏହି ମିଥ୍ୟା ସତର୍କତା କାରଣରୁ ତୃଣମୂଳସ୍ତରରେ ଗୁରୁତର ସମସ୍ୟା ଦେଖାଦେଉଛି। ଭୟଭୀତ ହୋଇ ଚାଷୀମାନେ ବିଲରୁ ଅପରିପକ୍ୱ ଫସଲ କାଟି ବ୍ୟାପକ କ୍ଷତି ସହୁଥିବାବେଳେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ, ହୋର୍ଡିଂ ଓ ଅହେତୁକ ଦରବୃଦ୍ଧି ଘଟୁଛି। ଏହାସହିତ ସରକାରୀ ସ୍ତରରେ ଚାଲିଥିବା ବିପର୍ଯ୍ୟୟ ପରିଚାଳନା, ସ୍ଥାନାନ୍ତରଣ ଓ ପ୍ରସ୍ତୁତି ପ୍ରକ୍ରିୟାରେ ମଧ୍ୟ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଛି। ଏସଆରସି କହିଛନ୍ତି ଯେ, ଦେଶରେ ପ୍ରାମାଣିକ ପାଣିପାଗ ସୂଚନା ଓ ବାତ୍ୟା ସତର୍କତା ଜାରି କରିବା ପାଇଁ କେବଳ ଆଇଏମଡି ହିଁ ଏକମାତ୍ର ଅଧିକୃତ ସଂସ୍ଥା। ତେଣୁ ସମସ୍ତ ଗଣମାଧ୍ୟମ, ଫେସବୁକ୍ ପେଜ୍, ହ୍ୱାଟ୍ସଆପ୍ ଗ୍ରୁପ୍ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ପରିଚାଳକମାନେ କୌଣସି ଅଣପ୍ରମାଣିତ ଖବର ପ୍ରସାରଣ ନକରିବାକୁ ତାଗିଦ୍ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୪ ଅନୁଯାୟୀ ମିଥ୍ୟା ସତର୍କତା ଜାରି କରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜୋରିମାନାର ପ୍ରାବଧାନ ରହିଛି। ସେହିପରି ଧାରା ୫୧ ଅନୁସାରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କଲେ ମଧ୍ୟ କଠୋର ଦଣ୍ଡବିଧାନ କରାଯିବ। ଗୁଜବ ପ୍ରଚାରକାରୀଙ୍କ ଉପରେ କଡ଼ା ନଜର ରଖି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଇବର କ୍ରାଇମ୍ ଓ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଜିଲ୍ଲାପାଳମାନଙ୍କୁ ସଠିକ୍ ସୂଚନା ତୁରନ୍ତ ଲୋକଙ୍କ ପାଖରେ ପହଂଚାଇବାକୁ କୁହାଯାଇଛି।
ସାଧାରଣ ନାଗରିକମାନେ କୌଣସି ଅଣପ୍ରମାଣିତ ମେସେଜ୍ କିମ୍ବା ବାତ୍ୟା ଟ୍ରାକ୍ ସୋସିଆଲ ମିଡିଆରେ ଫରୱାର୍ଡ ନକରି କେବଳ ଆଇଏମଡି, ଏସଆରସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସରକାରୀ ବୁଲେଟିନ୍ ଉପରେ ଭରସା ରଖିବାକୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି।


