ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପୌରାଣିକ ଚରିତ୍ର ଅତ୍ୟାଚାରୀ କଂସ ଭୂମିକାରେ ଅଭିନୟ କରୁଥିବା ବିଶିଷ୍ଟ କଳାକାର ସୁଶୀଲ ମେହେର ଚଳିତ ବର୍ଷ ପାଇଁ ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ମାସ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏଥରର ମହୋତ୍ସବରେ କଂସ ଅଭିନେତା ସୁଶୀଲ ମେହେର ଅଭିନୟ କରିପାରିବେ ନାହିଁ ବୋଲି ବିନମ୍ରତାର ସହ ଜଣାଇଛନ୍ତି।
ଶ୍ରୀ ମେହେର ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ବିଧିବଦ୍ଧ ଭାବେ ତାଙ୍କର ଇସ୍ତଫା/ଅବ୍ୟାହତି ପତ୍ର ପ୍ରଦାନ କରିଛନ୍ତି। ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଅଭିନୟକୁ ନେଇ ସୃଷ୍ଟି ହୋଇଥିବା ତୀବ୍ର ବିବାଦ କାରଣରୁ ଉପୁଜିଥିବା ମାନସିକ ଚାପ ହିଁ ଏହି ସାମୟିକ ବିରତିର ମୁଖ୍ୟ କାରଣ। ଅନ୍ୟପକ୍ଷେ ତାଙ୍କର ଏହି ହଠାତ୍ ନିଷ୍ପତ୍ତି ପରେ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ବରଗଡ଼ ଧନୁଯାତ୍ରା ପାଇଁ ଜଣେ ଅଭିଜ୍ଞ କଳାକାରଙ୍କୁ ଏତେ କମ୍ ସମୟ ମଧ୍ୟରେ ମନୋନୀତ କରିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇଛି। ଉତ୍ସବର ଐତିହାସିକ ପରମ୍ପରା ଯେପରି ନିର୍ବିଘ୍ନରେ ସମ୍ପାଦିତ ହେବ, ସେଥିପାଇଁ ସମିତି ଏବଂ ସମ୍ପୃକ୍ତ କର୍ମକର୍ତ୍ତାମାନେ ବିକଳ୍ପ ବ୍ୟବସ୍ଥା ଉପରେ ବିଚାରବିମର୍ଶ ଚଳାଇଛନ୍ତି।
ଉଲ୍ଲେଖନୀୟ ଯେ, ଗତବର୍ଷ ଧନୁଯାତ୍ରା ପୂର୍ବରୁ ଚୟନ ପ୍ରକିୟା ହୋଇଥିଲା। ବିଚାରକମାନେ ସୁଶିଲ ମେହେରଙ୍କୁ ବରଗଡ଼ ଧନୁଯାତ୍ରାର କଂସ ଅଭିନୟଭାବେ ଚୟନ କରିଥିଲେ। ମାତ୍ର ଗତବର୍ଷ ଧନୁଯାତ୍ରାରେ ତାଙ୍କ ଅଭିନୟକୁ ବିଭିନ୍ନ ମହଲରେ ନାପସନ୍ଦ କରିଥିଲେ ଏବଂ ଆଗାମୀ ଧନୁଯାତ୍ରାରେ ତାଙ୍କୁ କଂସ ଅଭିନୟରୁ ବାଦ ଦେବା ପାଇଁ ଦାବି ଉଠିଥିଲା। ଗତ କିଛିଦିନ ତଳେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଏହି ଦାବି ଜୋର୍ ଧରିଥିଲା।


