ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟର ପାଗରେ ପରିବର୍ତ୍ତନ ଦେଖାଦେଇଛି। ଦକ୍ଷିଣ ଓଡ଼ିଶାରେ କଳାହାଣ୍ଡିଆ ମେଘ ଘୋଟି ରହିଥିବାବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଆକାଶ ମେଘାଚ୍ଛନ୍ନ ରହିଛି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାଗ ବଦଳିଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବାତ୍ୟାର ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିଛି ।
ସୂଚନା ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ଗୋପାଳପୁରଠାରୁ ଦକ୍ଷିଣରେ ପ୍ରାୟ ୩୮୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବରେ ପ୍ରାୟ ୩୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ବାତ୍ୟାଟି ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟସ୍ଥ ଯାନମ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସୂଚନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି।


