ଗଞ୍ଜାମ: ସମୁଦ୍ରରେ ବାତ୍ୟା ‘ଅର୍ଣ୍ଣବ’ କ୍ରମଶଃ ଶକ୍ତିଶାଳୀ ହେଉଥିବା ବେଳେ ରାଜ୍ୟର ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଓ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଚାଲୁ ରଖିଥିବାବେଳେ ସାଧାରଣ ଜନଜୀବନ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।
ଆସୁଥିବା ଏହି ବିପଦର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗୋପାଳପୁର ଏବଂ ସୁନପୁର ବେଳାଭୂମିକୁ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ସମୁଦ୍ର ଅଶାନ୍ତ ରହିଥିବାରୁ ଏବଂ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସାଧାରଣ ଲୋକଙ୍କୁ ବେଳାଭୂମି ନିକଟକୁ ନ ଯିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ମିଶାଇ ମୋଟ ୧୧୦୦ ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏହାସହିତ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ଏବଂ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଏବଂ ପାରାଦୀପ ଅଞ୍ଚଳରୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆର୍ଯ୍ୟପଲ୍ଲୀ ମାଛଧରା ପୋତାଶ୍ରୟ ଏବଂ ଗୋପାଳପୁର ପୋର୍ଟରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଛି।
ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୩ ଟି ଓଡ୍ରାଫ ଟିମ୍ ପହଞ୍ଚି ସାରିଛନ୍ତି ଏବଂ ଯେକୌଣସି ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏହା ସହିତ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାରେ ଏଯାବତ୍ ୧୨୦୦ ରୁ ଅଧିକ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୬୬ ଜଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କର ଉଚ୍ଚାଙ୍ଗ ସ୍ୱାସ୍ଥ୍ୟସେବା ନିଶ୍ଚିତ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି ତତ୍ପରତା ଓ ସତର୍କତା ଯାହାଦ୍ୱାରା ଜନସାଧାରଣଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିବ।


