ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ବାଲିଗୋହିରୀସ୍ଥିତ ସତ୍ୟସାଇ ଫିଲିଂ ଷ୍ଟେସନରେ ଏକ ବିସ୍ପୋରଣ ଘଟିଯାଇଛି। ଏଥିରେ ଜଣେ ମୃତ୍ୟୁ ହୋଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ପେଟ୍ରୋଲ ପମ୍ପ ପରିସରରେ ଥିବା ଏକ ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟର ସାହାଯ୍ୟରେ କାଟୁଥିବା ସମୟରେ ହଠାତ୍ ଟାଙ୍କିରେ ବିସ୍ଫୋରଣ ଘଟିଥିଲା । ଏଥିରେ ଟାଙ୍କିର ଢାଙ୍କୁଣୀ ଛିଟିକି ଯାଇ ସେଠାରେ କାର୍ଯ୍ୟରତ ରେମୁଣା ବ୍ଲକ୍ ଅନ୍ତର୍ଗତ ବିମୁରିଆ ଗ୍ରାମର ହୁଆ ଓରଫ ବୀରେନ୍ଦ୍ର ସିଂହଙ୍କ ଉପରେ ମାଡ଼ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣା ପରେ ପେଟ୍ରୋଲ ପମ୍ପ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ପେଟ୍ରୋଲ ପମ୍ପ ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳଲୋଚନ ନାୟକ ଏବଂ ଗ୍ୟାସ୍ କଟର କାମରେ ନିୟୋଜିତ ଦୁଇ ଜଣ କର୍ମଚାରୀଙ୍କୁ ଥାନାକୁ ନେଇଛି। ଘଟଣାରେ ଉତ୍ତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ପେଟ୍ରୋଲ ପମ୍ପ ପରିସରରେ ଭଙ୍ଗାରୁଜା କରିଛନ୍ତି । ମୃତ ବୀରେନ୍ଦ୍ରଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ନୀଳଗିରି-ସେରଗଡ଼ ରାସ୍ତାରେ ଶବ ରଖି ପ୍ରତିବାଦ କରାଯାଇଛି।


