ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ବଡ ଚୋରି ଘଟଣା ସାମ୍ନାକୁ ଆସିଛି। ଧର୍ମଶାଳା ରୋଡରେ ଥିବା ନିରଞ୍ଜନ ଜୁଏଲର୍ସରୁ ପ୍ରାୟ କୋଟିଏ ଟଙ୍କାର ସୁନା-ରୁପା ଅଳଙ୍କାର ଓ ନଗଦ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ପ୍ରଥମେ ଦୋକାନ ପଛରେ ଥିବା ଛତୁଆ ଗୋଦାମର ତାଲା ଭାଙ୍ଗିଥିଲେ। ପରେ ଗୋଦାମ ଭିତରୁ ସୁନା ଦୋକାନର ପଛ କାନ୍ଥ କାଟି ଭିତରକୁ ପଶିଥିଲେ। ଚୋରି ପୂର୍ବରୁ ପ୍ରମାଣ ନଷ୍ଟ କରିବାକୁ CCTV ତାର କାଟି ଦେଇଥିଲେ ଏବଂ ହାର୍ଡ ଡିସ୍କ ବି ନେଇଯାଇଥିଲେ।
ଦୋକାନ ମାଲିକଙ୍କ ଅନୁଯାୟୀ, ପ୍ରାୟ ୪୦୦ ଗ୍ରାମ ସୁନା, ୧୩ କେଜିରୁ ଅଧିକ ରୁପା ଅଳଙ୍କାର ଏବଂ ୫ ଲକ୍ଷ ଟଙ୍କା ନଗଦ ଲୁଟ୍ ହୋଇଛି।
ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଣପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଲୁଟେରାଙ୍କୁ ଧରିବା ଓ ସାମଗ୍ରୀ ଉଦ୍ଧାର ପାଇଁ ଛାନଭିନ୍ ଜାରି ରହିଛି।


