ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ନିଜର ପ୍ରେରଣାଦାୟୀ ଅଭିଭାଷଣରେ ସର୍ଦ୍ଦାର ପଟେଲଙ୍କ ଅତୁଲନୀୟ ବ୍ୟକ୍ତିତ୍ୱ ଏବଂ ଦେଶକୁ ଏକଜୁଟ କରିବାରେ ତାଙ୍କର ଯୋଗଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଆଜି ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ସହ ଏକତା ପଦଯାତ୍ରାର ଆୟୋଜନ କରାଯାଉଛି। ପ୍ରତ୍ୟେକ ନାଗରିକ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଏକତା, ଅଖଣ୍ଡତା ଓ ସଂହତିକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଆବଶ୍ୟକ।
ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଆହୁରି ମଧ୍ୟ ଆହ୍ୱାନ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶ ଓ ରାଜ୍ୟର ବିକାଶ ପ୍ରକ୍ରିୟା ଆଗେଇ ଚାଲିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଯେଉଁ ମହତ୍ ଲକ୍ଷ୍ୟ ରଖାଯାଇଛି, ତାହାକୁ ପୂରଣ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। ଏଥିସହ ଏକ ଭାରତ ଶ୍ରେଷ୍ଠ ଭାରତର ସପ୍ନକୁ ସାକାର କରିବା ଦିଗରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।
ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂରଜ ଉପସ୍ଥିତ ସମସ୍ତ ଅଧିକାରୀ, କ୍ରୀଡ଼ାବିତ୍ ଓ ସାଧାରଣ ଜନତାଙ୍କୁ ‘ରାଷ୍ଟ୍ରୀୟ ଏକତା ଦିବସ ଶପଥ’ ପାଠ କରାଇଥିଲେ। ଶପଥ ଗ୍ରହଣ ପରେ ଷ୍ଟାଡ଼ିୟମ ପରିସରରୁ ଏକ ବିଶାଳ ‘ଏକତା ପଦଯାତ୍ରା’ ବାହାରିଥିଲା। ଏହି ପଦଯାତ୍ରାରେ ଅନେକ ନାମୀଦାମୀ କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ସମାଜସେବୀ, ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟାରେ ସାଧାରଣ ନାଗରିକ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇ ଦେଶାତ୍ମବୋଧର ସନ୍ଦେଶ ଦେଇଥିଲେ।
ଏହି ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ପୂର୍ବତନ ବିଧାୟକ ତଥା ସମାଜସେବୀ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ତଥା ରାଜନେତା ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ, ସୁଦୀପ୍ତ ରାୟ ଏବଂ ବିଭାଗର ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।


