ନୂଆଦିଲ୍ଲୀ: ୮ ବର୍ଷ ପୁରୁଣା ଏକ ଅପରାଧିକ ମାନହାନି ମାମଲାରେ ପ୍ରସିଦ୍ଧ ୟୁଟ୍ୟୁବର୍ ତଥା ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଧ୍ରୁବ ରାଠୀଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ନୂଆ ଜାମିନଯୋଗ୍ୟ ୱାରେଣ୍ଟ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ ତାରିଖରେ ଧାର୍ଯ୍ୟ କରିଛନ୍ତି। ସାକେତ କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ରାହୁଲ ଜୈନ ଏହି ଆଦେଶ ଦେଇଛନ୍ତି। ପୂର୍ବରୁ ଜାରି ହୋଇଥିବା ୱାରେଣ୍ଟ ତାଙ୍କ ଗୁରୁଗ୍ରାମ ଠିକଣା ବଦଳରେ ଅଷ୍ଟ୍ରିଆର ଏକ ଭୁଲ୍ ଠିକଣାକୁ ପଠାଯାଇଥିବା ଜଣାପଡ଼ିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମେ ୨୦୧୮ରେ ରାଠୀଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ‘ବିଜେପି ଆଇଟି ସେଲ୍ ପାର୍ଟ ୨’ ଶୀର୍ଷକ ଏକ ଭିଡିଓକୁ ନେଇ ବିକାଶ ସଂସ୍କୃତ୍ୟାୟନଙ୍କ ଦ୍ୱାରା ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଭିଡିଓରେ ରାଠୀ ଅଭିଯୋଗ କରିଥିଲେ ଯେ ବିଜେପି ଆଇଟି ସେଲ୍ର ସଦସ୍ୟମାନେ ତାଙ୍କୁ ବଦନାମ କରିବା ପାଇଁ ସଂସ୍କୃତ୍ୟାୟନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ। ଏହି ଦାବିକୁ ମିଥ୍ୟା, ଉଦ୍ଦେଶ୍ୟପ୍ରଣୋଦିତ ଏବଂ ତାଙ୍କ ସମ୍ମାନ ହାନି କରୁଛି ବୋଲି ଦର୍ଶାଇ ସଂସ୍କୃତ୍ୟାୟନ ଉଭୟ ରାଠୀ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (ଯିଏ ଏହି ଭିଡିଓକୁ ରି-ସେୟାର କରିଥିଲେ)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଏହି ଭିଡିଓ ସେୟାର କରିବା ଏକ ଭୁଲ୍ ଥିଲା ବୋଲି କେଜରିୱାଲ୍ ସ୍ୱୀକାର କରିଥିଲେ ଯାହାଫଳରେ ତାଙ୍କ ବିରୋଧରେ ଥିବା ମାମଲା ଏକ ଭିନ୍ନ ମୋଡ଼ ନେଇଥିଲା। କିନ୍ତୁ ଧ୍ରୁବ୍ ରାଠୀଙ୍କ ବିରୋଧରେ ମୂଳ ଅଭିଯୋଗ ଜାରି ରହିଥିଲା। ଶନିବାର ଶୁଣାଣି ସମୟରେ ଅଭିଯୋଗକାରୀଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ ରାଠୀ ଭାରତ ଛାଡ଼ି ବର୍ତ୍ତମାନ ବିଦେଶରେ ରହୁଛନ୍ତି। କିନ୍ତୁ ସରକାର ବିରୋଧୀ ପ୍ରତ୍ୟେକ ବିକ୍ଷୋଭ ପ୍ରଦର୍ଶନ ସମୟରେ ସେ ଭାରତ ଚାଲିଆସୁଛନ୍ତି।


