ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁସ୍ଥିତ ‘ଆଦିତ୍ୟ’ ଉତ୍ପାଦନ କାରଖାନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍-ବି୨୮ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି।
ଏହି ଅବସରରେ ଶ୍ରୀ ବୈଷ୍ଣବ ଟ୍ରେନ୍ର ବଗି ନିର୍ମାଣ ପାଇଁ ବ୍ୟବହୃତ ଅତ୍ୟାଧୁନିକ ଉତ୍ପାଦନ ଭିତ୍ତିଭୂମି ଏବଂ ସୂକ୍ଷ୍ମ ଯନ୍ତ୍ରପାତି ଓ ଟ୍ରେନ୍ ବଗିର ମୁଖ୍ୟ ଢାଞ୍ଚା ନିର୍ମାଣ ପାଇଁ ବ୍ୟବହୃତ ସ୍ୱତନ୍ତ୍ର ଧାରକ ଉପକରଣର ଅନୁଧ୍ୟାନ କରିଥିଲେ । ଏହା ସହିତ ସେ ବଗିର ତଳ ଅଂଶ, ପାର୍ଶ୍ୱ କାନ୍ଥ ଓ ଛାତ ନିର୍ମାଣ, ବିଭିନ୍ନ ଅଂଶର ସଂଯୋଗ, ପୃଷ୍ଠଭାଗର ପ୍ରସ୍ତୁତି ଏବଂ ଏହାର ସୁରକ୍ଷାମୂଳକ ଉପଚାର ଆଦି ନିର୍ମାଣ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ। ଉଚ୍ଚ ବେଗବାନ ଟ୍ରେନ୍ ଚଳାଚଳ ପାଇଁ ଆବଶ୍ୟକ ସଠିକ୍ ମାପ, ଦୃଢ଼ତା ଓ ଗୁଣବତ୍ତା ସୁନିଶ୍ଚିତ କରିବାରେ ଏହି ଅତ୍ୟାଧୁନିକ ନିର୍ମାଣ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଏହା ସହିତ ସେ ‘ସ୍କୁଇଜ୍ ଟେଷ୍ଟ’ ପ୍ରଦର୍ଶନ ଦେଖିଥିଲେ। ଏହି ପରୀକ୍ଷଣରେ ଟ୍ରେନ୍ ବଗି ଉପରେ ନିୟନ୍ତ୍ରିତ ଭାବେ ସଙ୍କୋଚନ ଓ ପ୍ରସାରଣ ବଳ ପ୍ରୟୋଗ କରି ଏହାର ଗଠନାତ୍ମକ ଦୃଢ଼ତା, ସ୍ଥିରତା ଏବଂ ମାପର ସଠିକତା ଯାଞ୍ଚ କରାଯାଏ।
ରେଳମନ୍ତ୍ରୀ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଆସନଗୁଡ଼ିକୁ ମଧ୍ୟ ଯାଞ୍ଚ କରିବା ସହ ଦ୍ରୁତଗତିରେ ଯାତ୍ରା ସମୟରେ ମିଳିବାକୁ ଥିବା ଆରାମ ଓ ସୁବିଧା ପରଖିଥିଲେ। ଏଥିସହ ଟ୍ରେନ୍ର ଶୀତତାପ ନିୟନ୍ତ୍ରଣ ଓ ବାୟୁ ଚଳାଚଳ ବ୍ୟବସ୍ଥା (ଏଚ୍ଭିଏସି), କପଲର୍ ଏବଂ ଅନ୍ୟାନ୍ୟ ରେଳ ଉପକରଣ ଓ ଆସେମ୍ବଲିର କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ।
ଏହାବ୍ୟତୀତ ବଗିର ପାର୍ଶ୍ୱ (ସାଇଡ୍ ମଡ୍ୟୁଲ) ଓ ରୁଫ୍ ମଡ୍ୟୁଲର ନିର୍ମାଣକାର୍ଯ୍ୟ ସହ ସେଗୁଡ଼ିକର ସଂଯୋଗ ଓ ଆସେମ୍ବଲି ପ୍ରକ୍ରିୟା ମଧ୍ୟ ରେଳମନ୍ତ୍ରୀ ଦେଖିଥିଲେ।


