ଶେରଗଡ଼: ଧାରଉଧାର କରି ନିଜର ଓ ଭାଗ ଜମିରେ ପରିବା ଏବଂ ଧାନ ଚାଷ କରିଥିଲେ। ହେଲେ ‘ଅର୍ଣ୍ଣବ’ ବାତ୍ୟା ଦ୍ୱାରା ହୋଇଥିବା ଅବିଶ୍ରାନ୍ତ ବର୍ଷା ଓ ବନ୍ୟାରେ ସବୁ ଧୋଇଗଲା। ଜୀବନରେ ଏଭଳି କ୍ଷତି ପୂର୍ବରୁ ସହି ନଥିଲେ। ଉଜୁଡ଼ା ଜମିକୁ ଦେଖି ନିଜକୁ ସମ୍ଭାଳିପାରିଲେ ନାହିଁ। ଶେଷରେ ଚାଷୀ ତଥା ଶେରଗଡ ଥାନା ଡେଙ୍ଗାପଦର ଗ୍ରାମ ପଞ୍ଚାୟତ ବାକିଳିକଣା ପଣସପଦର ସାହିର ଅର୍ଜୁନ ପଣ୍ଡା(୬୨) ବିଷ ପିଇ ଜୀବନ ହାରିଛନ୍ତି। ବର୍ଷା ବିତ୍ପାତରେ ସର୍ବାଧିକ କ୍ଷତି ସହିଥିବା ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ଏଭଳି ଘଟଣା ଭବିଷ୍ୟତର ଚାଷ ଓ ଚାଷୀଙ୍କ ଉଦ୍ବେଗଜନକ ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଅର୍ଜୁନଙ୍କ ୧୫ ଭରଣ ଚାଷ ଜମିଥିବା ବେଳେ ବନ୍ୟାରେ ଫସଲ କ୍ଷତି ହେବା ଦେଖି ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଶନିବାର ସନ୍ଧ୍ୟାରେ ନିଜ ଗୁହାଳରେ କୀଟନାଶକ ପିଇ ଦେଇଥିଲେ। ହିଞ୍ଜିଳି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଅର୍ଜୁନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ରବିବାର ଅପରାହ୍ନରେ ଗାଁରେ ଅନ୍ତିମ ସତ୍କାର ହୋଇଥିବା ବେଳେ ତହସିଲଦାର ତ୍ରିଦେବ ରଥ ମୃତକଙ୍କ ପରିବାରବର୍ଗକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତାରାଶି ପ୍ରଦାନ କରିଛନ୍ତି।


