ଭୁବନେଶ୍ବର: କଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ୩ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଭାଇ। ମୃତକମାନେ ହେଉଛନ୍ତି ଇମରାନ ଖାନ୍ଙ୍କ ଦୁଇ ପୁତ୍ର ସଲମାନ ଖାନ(୪), ଜିସାନ ଖାନ(୫) ଓ ଅବଦୁଲ ଅନୱର ଖାନଙ୍କ ପୁଅ ଆରହାମ ଖାନ(୫)। ସଲମାନ ଏଲ୍କେଜିରେ ଓ ଜିସାନ ୟୁକେଜିରେ ପଢୁଥିଲେ। ଅରହମ ନର୍ସରୀରେ ପଢୁଥିଲେ।
ରବିବାର ସକାଳେ ଘର ପାଖରେ ଏହି ୩ ଶିଶୁ ଖେଳୁଥିଲେ। ଘର ପାଖରେ ପୋଖରୀଟିଏ ଅଛି। ସେମାନେ ଖେଳାଖେଳି କରିବା ବେଳେ କଇଁ ଫୁଲ ତୋଳିବାକୁ ପୋଖରୀ ଭିତରକୁ ଚାଲି ଯାଇଥିଲେ ଓ ବୁଡ଼ି ଯାଇଥିଲେ। ତିନୋଟି ଛୁଆ ହଠାତ୍ ନିଖୋଜ ହୋଇଯିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ତେବେ ପୋଖରୀ କୂଳରେ ମୃତକ ଶିଶୁମାନଙ୍କ ଚପଲ ଥିବା ଏବଂ ପ୍ରଥମେ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖିଥିଲେ। ଏହା ପରେ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀରେ ଖୋଜାଖୋଜି କରିବାରୁ ଅନ୍ୟ ଦୁଇ ଛୁଆଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଭଦ୍ରେଶ୍ୱର ଥାନା ଆଇଆଇସି ସନ୍ଧ୍ୟାରାଣୀ ସିଂହ ୩ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ମେଡିକାଲ ପଠାଇବା ସହ ଥାନା କେସ ନଂ ୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛନ୍ତି ।


