ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୪ରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ଆୟୋଜନ ଓ ଷ୍ଟାଡିୟମର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ଏହି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲା।
ଡିସେମ୍ବର ୨୪ରେ ହେବାକୁ ଥିବା ମ୍ୟାଚ୍ର ସଫଳ ଆୟୋଜନ ପାଇଁ ଆବଶ୍ୟକ ପ୍ରଶାସନିକ ଓ ଲଜିଷ୍ଟିକ୍ ସହଯୋଗ ଉପରେ ଆଲୋଚନା ହୋଇଥିଲା। ମ୍ୟାଚ୍ର ସୁଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିବା ଓସିଏ ପକ୍ଷରୁ କୁହାଯାଇଛି। ଏଥିସହ ବାରବାଟୀ ଷ୍ଟାଡିୟମର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହଯୋଗକୁ ଓସିଏ ପ୍ରଶଂସା କରିଥିଲା।
ଏହି ଅବସରରେ ଓସିଏର ଆଗାମୀ କର୍ମକର୍ତ୍ତା ନିର୍ବାଚନ ଏବଂ ଏ ସମ୍ପର୍କିତ ହାଇକୋର୍ଟରେ ବିଚାରାଧୀନ ମାମଲା ନେଇ ମଧ୍ୟ ଆଲୋଚନା ହୋଇଥିଲା। ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୪ ପରେ ଓସିଏ ନିର୍ବାଚନ କରାଯିବା ସହ ଲୋଧା କମିଟିର ସୁପାରିସ ଅନୁଯାୟୀ ଏହା ସମ୍ପନ୍ନ ହେବ ବୋଲି ସୂଚନା ରହିଛି।
ଏହି ସାକ୍ଷାତକାର ସମୟରେ ଓସିଏ ଉପସଭାପତି ଜଗମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ଅନୁବନ୍ଧିତ କ୍ଲବ୍ ଓ ଜିଲ୍ଲା କ୍ରିକେଟ୍ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।


