ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା କର (ଜିଏସ୍ଟି) ଆଦାୟରେ ବଡ଼ ଧରଣର ଅଭିବୃଦ୍ଧି ଘଟିଛି। ଅକ୍ଟୋବର ମାସରେ ମୋଟ ଜିଏସ୍ଟି ସଂଗ୍ରହ ୨୨.୯ ପ୍ରତିଶତ ବୃଦ୍ଧି ପାଇ ୨,୩୧,୨୯୦ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ଓଡ଼ିଶାରେ ଏହା ୪,୭୪୪ କୋଟି ଟଙ୍କା ହୋଇଛି।
ଗତବର୍ଷ ଅକ୍ଟୋବରରେ ଏହି ରାଶି ୧ ଲକ୍ଷ ୮୮ ହଜାର ୧୨୫ କୋଟି ଟଙ୍କା ରହିଥିଲା। ଗତ ଚାରିବର୍ଷ ମଧ୍ୟରେ ଏହା ସର୍ବାଧିକ ବାର୍ଷିକ ଅଭିବୃଦ୍ଧି। ଅକ୍ଟୋବରରେ ଆମଦାନୀ ଉପରେ ଜିଏସ୍ଟି ଆଦାୟ ୪୨.୨ ପ୍ରତିଶତ ବୃଦ୍ଧି ପାଇ ୭୨,୨୪୬ କୋଟି ଟଙ୍କା ହୋଇଛି। ଗତବର୍ଷ ଅକ୍ଟୋବରରେ ଏହା ୫୦,୭୯୬ କୋଟି ଟଙ୍କା ଥିଲା। ସେହିପରି ଘରୋଇ କାରବାରରୁ ଜିଏସ୍ଟି ଆଦାୟ ୧୫.୮ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୫୯ ହଜାର ୪୪ କୋଟି ଟଙ୍କା ହୋଇଛି।
ଅନ୍ୟପକ୍ଷରେ ଫେରସ୍ତ ଅର୍ଥକୁ ବାଦ୍ ଦେବା ପରେ ଅକ୍ଟୋବରରେ ନିଟ୍ ଜିଏସ୍ଟି ଆଦାୟ ୨୫.୬ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୩ ହଜାର ୩୫୬ କୋଟି ଟଙ୍କାରେ ପହଞ୍ଚିଛି। ଅକ୍ଟୋବରରେ ମୋଟ ଟିକସ ଫେରସ୍ତ ପରିମାଣ ୨୭,୯୩୪ କୋଟି ଟଙ୍କା ରହିଛି। ସେହିପରି ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ରୁ ଅକ୍ଟୋବର ମଧ୍ୟରେ ମୋଟ ଜିଏସ୍ଟି ସଂଗ୍ରହ ୧୩.୨ ପ୍ରତିଶତ ବୃଦ୍ଧି ପାଇ ୧୪.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୧୩.୦୫ ଲକ୍ଷ କୋଟି ଟଙ୍କା ଥିଲା। ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ସର୍ବାଧିକ ୩୫,୧୫୦ କୋଟି ଟଙ୍କାର ଘରୋଇ ଜିଏସ୍ଟି ଆଦାୟ କରିଛି। ଓଡ଼ିଶାର ଜିଏସ୍ଟି ଆଦାୟ ୧୦ ପ୍ରତିଶତ ବୃଦ୍ଧିପାଇ ୪୭୪୪ କୋଟି ଟଙ୍କାରେ ପହଞ୍ଚିଛି।


