ଭୁବନେଶ୍ବର: ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀଙ୍କ ଦୁନିଆରେ ହଜିଯିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ଶିମିଳିପାଳର ନୂଆ ପର୍ଯ୍ୟଟନ ଋତୁ। ରବିବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ପ୍ରଥମ ଦିନରୁ ହିଁ ପର୍ଯ୍ୟଟକଙ୍କ ମଧ୍ୟରେ ଭ୍ରମଣକୁ ନେଇ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଞ୍ଚ ସବୁଜ ଜଙ୍ଗଲ, ମନଲୋଭା ଜଳପ୍ରପାତ, ବିଭିନ୍ନ ବନ୍ୟପ୍ରାଣୀ ଏବଂ ଶିମିଳିପାଳର ସ୍ୱତନ୍ତ୍ର ଆକର୍ଷଣ କଳାବାଘକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା।
ନୂଆ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁବିଧା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଏଥର ପ୍ରତିଦିନ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଜଙ୍ଗଲ ଭିତରକୁ ପ୍ରବେଶ ଅନୁମତି ମିଳିବ। ଯଶୀପୁରର କାଳିଆମୀ ଫାଟକ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା ବା ଲୁଲୁଙ୍ଗ ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ପ୍ରବେଶ ସମୟକୁ ନେଇ ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶୀପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାକୁ ହେବ। ସେହିପରି ସନ୍ଧ୍ୟା ୬ଟା ପୂର୍ବରୁ ସମସ୍ତଙ୍କୁ ଜଙ୍ଗଲରୁ ବାହାରିବା ବାଧ୍ୟତାମୂଳକ।
ଶିମିଳିପାଳ ଭ୍ରମଣ ପାଇଁ ଆଗୁଆ ଯୋଜନା କରିବା ଜରୁରୀ। ପର୍ଯ୍ୟଟକମାନେ ଶିମିଳିପାଳର ଅଫିସିଆଲ୍ ୱେବସାଇଟ୍ www.similipal.org ମାଧ୍ୟମରେ ଅନଲାଇନ୍ ଏଣ୍ଟ୍ରି ପରମିଟ୍ ବୁକ୍ କରିପାରିବେ। ପ୍ରତ୍ୟେକ ଗାଡ଼ି ସହ ଜଣେ ପ୍ରଶିକ୍ଷିତ ଗାଇଡ୍ ରହିବା ବାଧ୍ୟତାମୂଳକ। ଏହାଦ୍ୱାରା ଜଙ୍ଗଲ ଭିତରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ମଧ୍ୟ ନଜର ରଖାଯାଇପାରିବ। ଜୋରନ୍ଦା ଓ ବରେହିପାଣି ଭଳି ଆକର୍ଷଣୀୟ ଜଳପ୍ରପାତ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ଫେରିବାକୁ ପଡ଼ିବ।
କେବଳ ଦିନିକିଆ ଭ୍ରମଣ ନୁହେଁ, ଶିମିଳିପାଳର ପ୍ରାକୃତିକ ପରିବେଶ ମଧ୍ୟରେ ରାତ୍ରିଯାପନର ସୁଯୋଗ ମଧ୍ୟ ରହିଛି। ପର୍ଯ୍ୟଟକଙ୍କ ରହଣି ପାଇଁ କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିଠାରେ କଟେଜ୍ ବ୍ୟବସ୍ଥା କରାଯାଇଛି। ଏହି କଟେଜ୍ରେ ରହିବାକୁ ଚାହୁଁଥିବା ଲୋକେ www.ecotourodisha.com ମାଧ୍ୟମରେ ଆଗୁଆ ବୁକିଂ କରିପାରିବେ। ତେବେ ଜଙ୍ଗଲର ପରିବେଶକୁ ସୁରକ୍ଷିତ ରଖିବା, ବନ୍ୟପ୍ରାଣୀଙ୍କୁ ବିଚଳିତ ନକରିବା ଏବଂ କର୍ତ୍ତୃପକ୍ଷଙ୍କ ସମସ୍ତ ନିୟମ ପାଳନ କରିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଇଛି। ତେଣୁ ଏଥର ଶିମିଳିପାଳ ଯିବାକୁ ଯୋଜନା କରୁଥିଲେ ପରମିଟ୍, ଗାଡ଼ି ପ୍ରବେଶ ସମୟ ଓ ରହଣି ବୁକିଂ ସମ୍ପର୍କରେ ଆଗୁଆ ଜାଣି ନିଅନ୍ତୁ।


