ୱାଶିଂଟନ: ଆମେରିକା କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟିକ ପାର୍ଟି ଆଗୁଆ ରହିଛି ବୋଲି ଆମେରିକୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରତିନିଧି ସଭା (ହାଉସ)ରେ ଡେମୋକ୍ରାଟମାନେ ବହୁମତ ପାଇବା ସମ୍ଭାବନା ଥିବା ବେଳେ ସିନେଟରେ ମଧ୍ୟ ଆଗରେ ରହିଛନ୍ତି ଏବଂ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପଛରେ ରହିଛି ବୋଲି ରିପୋର୍ଟ ଆସୁଛି।
ଏହି ରିପୋର୍ଟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, “ମୁଁ ବାଲଟରେ ନଥିଲି, ଯଦି ଥାଆନ୍ତି ତେବେ ଆମେ ବିପୁଳ ବହୁମତରେ ଜିତିଥାନ୍ତୁ।” ଯଦି କଂଗ୍ରେସରେ ନିୟନ୍ତ୍ରଣ ହରାନ୍ତି, ତେବେ ଟ୍ରମ୍ପଙ୍କ ସାମ୍ନାରେ ୫ଟି ବଡ଼ ଚ୍ୟାଲେଞ୍ଜ ଆସିପାରେ ବୋଲି ଚର୍ଚ୍ଚା ହେଉଛି:
୧. ମହାଭିଯୋଗ ବିପଦ – ହାଉସରେ ଡେମୋକ୍ରାଟ ବହୁମତ ଆସିଲେ ସାଧାରଣ ବହୁମତରେ ମହାଭିଯୋଗ ପ୍ରସ୍ତାବ ଆଣିପାରିବେ। ପୂର୍ବ କାର୍ଯ୍ୟକାଳରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ହୋଇଥିଲା। ସିନେଟରେ ୨/୩ ବହୁମତ ନଥିଲେ ହଟାଇବା କଷ୍ଟ, କିନ୍ତୁ ପ୍ରକ୍ରିୟା ପ୍ରଶାସନ ଉପରେ ଚାପ ପକାଇବ।
୨. ଗୃହ ଅଚଳାବସ୍ଥା – ନୂଆ ଆଇନ, ଟ୍ୟାକ୍ସ ପରିବର୍ତ୍ତନ, ବଜେଟ ପାଇଁ ଉଭୟ ସଦନର ମଞ୍ଜୁରୀ ଦରକାର। ବିଭାଜିତ ସରକାର ହେଲେ ଟ୍ରମ୍ପଙ୍କ ବଡ଼ ପ୍ରତିଶ୍ରୁତି ଅଟକିଯିବ।
୩. ସଂସଦୀୟ ତଦନ୍ତ – ସମିତିର ନିୟନ୍ତ୍ରଣ ବିରୋଧୀ ହାତକୁ ଗଲେ ପ୍ରଶାସନର ପ୍ରତି ନିଷ୍ପତ୍ତି, ଆର୍ଥିକ କାରବାର, ହ୍ୱାଇଟ ହାଉସ ନଥିପତ୍ର ଯାଞ୍ଚ ହୋଇପାରେ ଏବଂ ମନ୍ତ୍ରୀମାନଙ୍କୁ ସମନ ଆସିପାରେ।
୪. ନିଯୁକ୍ତି ଅଟକିବା – ଫେଡେରାଲ ଜଜ, କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରଦୂତ ନିଯୁକ୍ତି ପାଇଁ ସିନେଟରେ ୫୧ ଭୋଟ ଦରକାର। ସିନେଟ ବିରୋଧୀ ହାତକୁ ଗଲେ ନିଯୁକ୍ତି ଅଟକିଯିବ।
୫. ବଜେଟ ଯୁଦ୍ଧ ଓ ସରକାରୀ ସଟଡାଉନ – ବଜେଟ ହାଉସରୁ ଆରମ୍ଭ ହୁଏ। ବିରୋଧୀ ବହୁମତ ବଜେଟ ରୋକିଲେ ସରକାରୀ ସଟଡାଉନ, କର୍ମଚାରୀଙ୍କ ଦରମା ବନ୍ଦ ଏବଂ ଅର୍ଥନୀତି ଉପରେ ପ୍ରଭାବ ପଡିପାରେ।


