ଭୋପାଳ: ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପ-ନିର୍ବାଚନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ହୋଇଛି। ମଙ୍ଗଳବାର ନାମାଙ୍କନ ଯାଞ୍ଚର ଶେଷ ଦିନରେ ଦୁଇ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଛି।
ଅଧିକାରୀଙ୍କ ସୂଚନା ଅନୁସାରେ, ନିର୍ଦ୍ଦଳୀୟ ପ୍ରାର୍ଥୀ କାନ୍ତେ ସୟନ୍ନା ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରାଜକୁମାର ଲୋହାନୀଙ୍କ ନାମାଙ୍କନ ଖାରଜ କରାଯାଇଛି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୫ ନଭେମ୍ବର ରହିଛି ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ।
ଏହା ପୂର୍ବରୁ ଦୁଇ ନିର୍ଦ୍ଦଳୀୟ ପ୍ରାର୍ଥୀ ଏବଂ କଂଗ୍ରେସ ନେତା ହେମନ୍ତ କଟାରେ ହରଦୀପ ପୁରୀଙ୍କ ନାମାଙ୍କନ ଉପରେ ଆପତ୍ତି ଉଠାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପୁରୀଙ୍କ ଦ୍ୱାରା ଦାଖଲ ଫର୍ମ-୨୬ର ସତ୍ୟପାଠ ଅସମ୍ପୂର୍ଣ୍ଣ ଏବଂ ଅବୈଧ। ତେବେ ନିର୍ବାଚନ ଅଧିକାରୀ ଉମେଶ ଶର୍ମା ଆପତ୍ତିକୁ ଯାଞ୍ଚ କରି ଖାରଜ କରିଛନ୍ତି ଏବଂ କହିଛନ୍ତି ଯେ, ପୁରୀ ଜନ ପ୍ରତିନିଧିତ୍ୱ ଆଇନର କୌଣସି ନିୟମ ଉଲ୍ଲଂଘନ କରିନାହାନ୍ତି ଏବଂ ତାଙ୍କ ନାମାଙ୍କନରେ କୌଣସି ତ୍ରୁଟି ନାହିଁ।
ଏହି ନିର୍ଦ୍ଦେଶ ବିରୋଧରେ କୋର୍ଟ ଯିବୁ ବୋଲି କଂଗ୍ରେସ ବିଧାୟକ କଟାରେ ଏବଂ ଆତିଫ ଅକିଲ କହିଛନ୍ତି। ଏହା ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ମନ୍ତ୍ରୀ ଏଲ ମୁରୁଗାନଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡିଥିଲା। ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପି ପାଖରେ ବହୁମତ ରହିଛି ଏବଂ ଜିତିବା ପାଇଁ ୧୧୬ ଭୋଟ ଆବଶ୍ୟକ।


