ପଞ୍ଜାବ: ଆମ୍ ଆଦମୀ ପାର୍ଟିର ମହିଳା ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି। ପଞ୍ଜାବର ମୋଗା ସ୍ଥିତ ବାସଭବନ ଏବଂ ବିଭିନ୍ନ ଫ୍ଲାଟରେ ଏହି ତଲାସୀ ଅଭିଯାନ ଜାରି ରହିଛି। ଜାତୀୟ ରାଜପଥ ପାଇଁ ଅଧିଗ୍ରହଣ କରାଯାଇଥିବା ସରକାରୀ ଜମିର ମ୍ୟୁଟେସନ୍ ଏବଂ କ୍ଷତିପୂରଣ ଅର୍ଥ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆଜି ସକାଳ ସମୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସିଆରପିଏଫ୍ ଯବାନଙ୍କୁ ସାଙ୍ଗରେ ଧରି ଇଡ଼ିର ସ୍ୱତନ୍ତ୍ର ଟିମ୍ ଏକାଧିକ ଗାଡ଼ିରେ ଆସି ବିଧାୟିକାଙ୍କ ବାସଭବନରେ ପହଞ୍ଚିଥିଲେ। ଦିଲ୍ଲୀ ଏବଂ ଚଣ୍ଡିଗଡ଼ ପଞ୍ଜୀକରଣ ନମ୍ବର ଥିବା ଏହି ଗାଡ଼ିଗୁଡ଼ିକରେ ଆସିଥିବା ଅଧିକାରୀମାନେ ହଠାତ୍ ଚଢ଼ଉ କରି ମୋଗା-ଲୁଧିଆନା ରୋଡ଼ରେ ଥିବା ଫ୍ଲାଟ ଏବଂ ପୈତୃକ ବାସଭବନକୁ ନିଜ କାବୁକୁ ନେଇଥିଲେ। ସୁରକ୍ଷା ଦୃଷ୍ଟିରୁ ଘର ଚାରିପାଖରେ କଡ଼ା ପହରା ଜାରି କରାଯିବା ସହ ସେହି ଅଞ୍ଚଳରେ ଯାତାୟାତ ଉପରେ କଟକଣା ଲଗାଯାଇଛି।
ତଲାସୀ ଅଭିଯାନ ଆରମ୍ଭ ହେବା ସମୟରେ ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରା ନିଜ ଘରେ ହିଁ ଉପସ୍ଥିତ ଥିଲେ। ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ଘରେ ରଖି ପଚରାଉଚରା ଜାରି ରଖିଛନ୍ତି। ତେବେ ଏହି ଜମି ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ଇଡ଼ିକୁ କି ପ୍ରକାର ପ୍ରମାଣ ମିଳିଛି, ସେ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କେବଳ ମୋଗା ନୁହେଁ, ବରଂ ପଞ୍ଜାବର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ତଦନ୍ତ ପରିସରଭୁକ୍ତ ଅନ୍ୟ କେତେକ ଠିକଣାରେ ଏକସଙ୍ଗେ ଚଢ଼ଉ କରାଯାଉଥିବା ଜଣାପଡ଼ିଛି।
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ତାଙ୍କୁ ପୁନର୍ବାର ପ୍ରାର୍ଥୀ ଭାବେ ଘୋଷଣା କରାଯିବାର କିଛି ଦିନ ପରେ କେନ୍ଦ୍ରୀୟ ଏଜେନ୍ସିର ଏଭଳି କାର୍ଯ୍ୟାନୁଷ୍ଠାନ ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ମୋଗା ଆସନରୁ ବିଜୟୀ ହୋଇ ପ୍ରଥମଥର ପାଇଁ ଦଳର ଖାତାକୁ ଏହି ଆସନ ଆଣିଥିଲେ ଏବଂ ରାଜ୍ୟ ମହିଳା ଶାଖାର ମଧ୍ୟ ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ଗତକାଲି ଅନ୍ୟ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ମଧ୍ୟ ସମିତି ଏଭଳି ଦୀର୍ଘସ୍ଥାୟୀ ଚଢ଼ଉ କରାଯାଇଥିଲା।


