ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ୨୦ ବର୍ଷ ପୁରୁଣା ଲାଞ୍ଚ ମାଗିବା ଅଭିଯୋଗର ପୁନଃ ଭିଜିଲାନ୍ସ ତଦନ୍ତ ପାଇଁ କେରଳ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେରଳ ସ୍ୱତନ୍ତ୍ର ପରିବହନ ପ୍ରକଳ୍ପର ୧୭ କୋଟି ଟଙ୍କାର ବକେୟା ବିଲ୍ ଛାଡ଼ିବା ପାଇଁ ୨ କୋଟି ଟଙ୍କା ଲାଞ୍ଚ ମାଗିବା ଏବଂ ଏହି ମାନସିକ ଚାପ ସହି ନପାରି ଜଣେ ମାଲେସୀୟ ପ୍ରୋଜେକ୍ଟ ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ନେଇ ଆସିଥିବା ଅଭିଯୋଗର ଏବେ ପୁନଃ ଯାଞ୍ଚ କରାଯିବ।
ରିପୋର୍ଟ ଅନୁସାରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଆସିଥିବା ଏହି ଲାଞ୍ଚ ମାଗିବା ଅଭିଯୋଗର ତଦନ୍ତ କରାଯିବ। କେରଳର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ଭିଜିଲାନ୍ସକୁ ଏହି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବାସ୍ତବରେ ଏହି ମାମଲା ଏକ ରାସ୍ତା ନିର୍ମାଣ ପ୍ରକଳ୍ପ ସହିତ ଜଡ଼ିତ। ସେହି ସମୟରେ ଜ୍ଞାନେଶ କୁମାର ରାଜ୍ୟର ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ସଚିବ ଥିଲେ। ଜ୍ଞାନେଶଙ୍କ ବିରୋଧରେ ଏପ୍ରକାର ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ପ୍ରାଥମିକ ତଦନ୍ତ ପରେ ମାମଲା ରୁଜୁ କରିବା ପାଇଁ ଗୃହ ବିଭାଗ ନିକଟରେ ଅନୁମତି ମାଗିଥିଲା। ସୂତ୍ର ଅନୁଯାୟୀ, ଆଇନଗତ ପରାମର୍ଶ ନେବା ପରେ ଗୃହମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସାଜନ୍ ନାମକ କୋଲ୍ଲମର ଜଣେ ଠିକାଦାର ଅଭିଯୋଗ କରିଛନ୍ତି ଯେ କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ କାର୍ଯ୍ୟ ଶେଷ ହେବା ପରେ ବକେୟା ପେମେଣ୍ଟ ଛାଡ଼ିବା ବଦଳରେ ଜ୍ଞାନେଶ କୁମାର କୁଆଡେ ତାଙ୍କ ବନ୍ଧୁ ଲି ସି ବିନ୍ଙ୍କୁ ୨ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ। ସାଜନଙ୍କ ଅନୁସାରେ, ସରକାରୀ ଇଞ୍ଜିନିୟରମାନେ ପ୍ରାୟ ୧୭ କୋଟିର ବିଲ୍ ମଞ୍ଜୁର କରିସାରିଥିଲେ, ମାତ୍ର ଜ୍ଞାନେଶ କୁମାର ଉଦ୍ଦେଶ୍ୟମୂଳକ ଭାବେ ଚେକ୍ ଅଟକାଇ ରଖିଥିଲେ। ଏହାଦ୍ୱାରା ମାଲେସୀୟ କମ୍ପାନୀ ପିଏଟିଆ-ବିଇଏଲ୍, କମ୍ପାନୀର ଠିକାଦାର ଏବଂ କର୍ମଚାରୀମାନେ ଆର୍ôଥକ ସଙ୍କଟରେ ପଡ଼ିଥିଲେ। ଏପରିକି କମ୍ପାନୀର ପ୍ରୋଜେକ୍ଟ ଇଞ୍ଜିନିୟର ଲି ସି ବିନ୍ ଏହି ଲାଞ୍ଚ ମଗାଯିବା ଘଟଣାରେ ଏତେ ବ୍ୟଥିତ ହୋଇପଡିଥିଲେ ଯେ ସେ ୨୦୦୬ରେ ଆତ୍ମହତ୍ୟା କରିଦେଇଥିଲେ। ଲି ତାଙ୍କ ବନ୍ଧୁ ଥିବାରୁ ସେ (ଲି) ତାଙ୍କୁ ଏସମ୍ପର୍କରେ ସବୁକିଛି କହିଥିଲେ। ପେମେଣ୍ଟ ଚେକ୍ ଦେବା ପାଇଁ ଲି’ ବାରମ୍ବାର ଜ୍ଞାନେଶ କୁମାରଙ୍କୁ ଅନୁରୋଧ ତଥା ତାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ୨ କୋଟି ଟଙ୍କା ଲାଞ୍ଚ ନଦେଲେ କୌଣସି ପରିସ୍ଥିତିରେ ମଧ୍ୟ ପେମେଣ୍ଟ ଚେକ୍ରେ ସ୍ୱାକ୍ଷର କରିବେ ନାହିଁ ଲି’ଙ୍କୁ ଜ୍ଞାନେଶ କୁମାର କହିଥିଲେ। ସୁତରାଂ ଅନ୍ୟ କୌଣସି ଉପାୟ ନ ପାଇ ଠିକାଦାର ଓ କର୍ମଚାରୀଙ୍କ ବକେୟା ଦରମା ପୈଠ କରିବା ପାଇଁ ଲି ସି ବିନ୍ ବେଙ୍ଗାଲୁରୁରେ ଥିବା କମ୍ପାନୀର ଅନ୍ୟ ଏକ ପ୍ରକଳ୍ପରୁ ଟଙ୍କା ଆଣିଥିଲେ।
ସାଜନ କହିଛନ୍ତି, ଲି ତାଙ୍କ ସୁସାଇଡ୍ ନୋଟ୍ରେ ମଧ୍ୟ ଜ୍ଞାନେଶ କୁମାରଙ୍କ ନାମ ଉଲ୍ଲେଖ କରିଥିଲେ। ମାଲେସିଆରେ ରହୁଥିବା ଲି’ଙ୍କ ପରିବାର ମଧ୍ୟ କମ୍ପାନୀ କର୍ମଚାରୀଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ତେବେ ସେତେବେଳେ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ହୋଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ଏବେ ଯେତେବେଳେ ଏହି ମାମଲାରେ ପୁନଃ ତଦନ୍ତ ହେବ, ସେତେବେଳେ ସେ (ସାଜନ), ଲି’ଙ୍କ ପରିବାର, କମ୍ପାନୀର ପୂର୍ବତନ କର୍ମଚାରୀ ଏବଂ ଅନ୍ୟ ସାକ୍ଷୀମାନଙ୍କୁ ତଦନ୍ତ ପାଇଁ ହାଜର କରାଇପାରିବେ ବୋଲି ସାଜନ୍ କହିଛନ୍ତି। ସାଜନଙ୍କ ଅନୁସାରେ ପୂର୍ବରୁ ହୋଇଥିବା ଭିଜିଲାନ୍ସ ତଦନ୍ତରେ ତାଙ୍କୁ ତଥା ଘଟଣା ସମ୍ପର୍କରେ ଜାଣିଥିବା ଅନ୍ୟ ଲୋକଙ୍କୁ ପଚରାଉଚରା କରାଯାଇନଥିଲା। କିନ୍ତୁ ଏହି ମାମଲାର ପୁନଃ ତଦନ୍ତ ହେଲେ ସେ ଏବଂ ଲି’ଙ୍କ ପରିବାର ତଥା ଉକ୍ତ ମାଲେସୀୟ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତେ ସହଯୋଗ କରିବାକୁ ପ୍ରସ୍ତୁତ। ତେବେ ନୂତନ ତଦନ୍ତରେ ଏହା ମଧ୍ୟ ଦେଖାଯିବ ଯେ ପୂର୍ବ ତଦନ୍ତରେ ଅଭିଯୋଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକର ଯାଞ୍ଚ ହୋଇଥିଲା କି ନାହିଁ। ଯଦିଓ ଜ୍ଞାନେଶ କୁମାରଙ୍କ ଉପରେ ଲାଗିଥିବା ଲାଞ୍ଚ ମାଗିବା ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଭିଜିଲାନ୍ସ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରିବ। ଏହି ଘଟଣା ଉପରେ ଜ୍ଞାନେଶ କୁମାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ୧୯୮୮ ବ୍ୟାଚ୍ର ଜଣେ ଆଇଏଏସ ଅଧିକାରୀ।


