ନୂଆଦିଲ୍ଲୀ: ପାର୍ବଣ ଋତୁ ଦୀପାବଳି ପୂର୍ବରୁ ସାଧାରଣ ଖାଉଟିଙ୍କୁ ଲାଗିଛି ବଡ଼ ମହଙ୍ଗା ଝଟ୍କା। ବଜାରରେ ଚିନି ଯୋଗାଣ ସ୍ୱାଭାବିକ ରଖିବାକୁ କେନ୍ଦ୍ର ସରକାର ପ୍ରଚେଷ୍ଟା ଚଳାଇଥିଲେ ବି ଖୁଚୁରା ତଥା ପାଇକାରୀ ବଜାରରେ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଗତ ଗୋଟିଏ ମାସ ମଧ୍ୟରେ କିଲୋ ପିଛା ଚିନି ମୂଲ୍ୟ ୪ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଦେଶର କେତେକ ପ୍ରମୁଖ ମହାନଗରରେ ୬୫ ଟଙ୍କାରେ ପହଞ୍ଚିଛି। ବିଗତ ଏକ ମାସ ମଧ୍ୟରେ କିଲୋ ପିଛା ଚିନି ମୂଲ୍ୟ ୪ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏହିକ୍ରମେ ଗତ ଏକ ବର୍ଷ ମଧ୍ୟରେ ଚିନି ମୂଲ୍ୟ ପ୍ରାୟ ୧୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଚିନିର ହାରାହାରି ଦୈନିକ ଖୁଚୁରା ମୂଲ୍ୟ କିଲୋ ପ୍ରତି ୫୯.୫୦ ଥିବା ବେଳେ ପାଇକାରୀ ଦର ୫୫.୪୦ ରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ ଖୁଚୁରା ବଜାରରେ ଚିନି କିଲୋ ପିଛା ୪୬.୫୦ ଏବଂ ପାଇକାରୀ ବଜାରରେ ୪୩.୨୩ ଥିଲା। ନଭେମ୍ବର ୩ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଦେଶର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ କୋଲକାତାରେ ଚିନି ଦର ସବୁଠୁ ଉଚ୍ଚରେ (୬୫ଟଙ୍କା) ରହିଛି। ସେହିପରି ମୁମ୍ବାଇରେ ଚିନି ମୂଲ୍ୟ ୬୧ଟଙ୍କାରେ ବିକ୍ରି ହେଉଥିବା ବେଳେ ଦିଲ୍ଲୀରେ ୬୪ଟଙ୍କା ରହିଛି। ୨୦୨୫-୨୬ ପେଡ଼ା ଋତୁରେ ପୂର୍ବ ଆକଳନ ତୁଳନାରେ ମୋଟ ଚିନି ଉତ୍ପାଦନ କମ୍ ରହିବା ଏହି ମୂଲ୍ୟବୃଦ୍ଧିର ମୁଖ୍ୟ କାରଣ।


