ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ୩୮ତମ ଜନ୍ମଦିନ ଅବସରରେ ଷ୍ଟାର ସ୍ପୋର୍ଟସ ତାଙ୍କ ସହ କଥାବାର୍ତ୍ତାର ଏକ ଭିଡିଓ ଶେୟାର କରିଛି। ଏଥିରେ କୋହଲିଙ୍କୁ ତାଙ୍କର ୨ଟି ଦିନିକିଆ ଇନିଂସ ମଧ୍ୟରୁ ପ୍ରିୟ ଇନିଂସ ବାଛିବାକୁ କୁହାଯାଇଥିଲା, ଏହାପରେ ସେହି ପ୍ରିୟ ଇନିଂସ ସହ ଆଉ ଏକ ସ୍ମରଣୀୟ ଇନିଂସକୁ ରଖି ପୁଣି ଗୋଟିଏ ବାଛିବାକୁ କୁହାଯାଇଥିଲା। ଅନେକ ଶତକୀୟ ଇନିଂସ ମଧ୍ୟରୁ ସେ ସେହି ଇନିଂସକୁ ଶ୍ରେଷ୍ଠ ବାଛିଲେ, ଯେଉଁଥିରେ ସେ ମୋଟ୍ ୫୦ ରନ୍ ମଧ୍ୟ କରି ନଥିଲେ।
ପ୍ରଥମେ ୩୫ ରନକୁ ବାଛିଲେ କୋହଲି:
କୋହଲିଙ୍କ ସାମ୍ନାରେ ପ୍ରଥମେ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ୧୩୩ ରନର ଅପରାଜିତ ଇନିଂସ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ୩୫ ରନର ଇନିଂସକୁ ରଖାଯାଇଥିଲା। କୋହଲି ୩୫ ରନର ଇନିଂସକୁ ଶ୍ରେଷ୍ଠ ବାଛିଲେ।
ବିଶ୍ୱକପ୍ ଫାଇନାଲରେ ଖେଳିଥିବା ୩୫ ରନର ଇନିଂସକୁ ସେ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ୮୫ ରନର ଇନିଂସ, ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୨୨ ରନର ଇନିଂସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୮ରେ ଖେଳିଥିବା ୧୬୦ ରନର ଇନିଂସ ଠାରୁ ଉପରେ ରଖିଲେ।
୪୩ ରନର ଇନିଂସକୁ ବାଛିଲେ ଶ୍ରେଷ୍ଠ:
ଏହାପରେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଖେଳିଥିବା ୪୩ ରନର ଇନିଂସକୁ ୨୦୧୧ ବିଶ୍ୱକପ୍ ଫାଇନାଲରେ ଖେଳିଥିବା ୩୫ ରନର ଇନିଂସ ଠାରୁ ଶ୍ରେଷ୍ଠ ବାଛିଲେ।ଏହାପରେ ୪୩ ରନର ସେହି ସ୍ମରଣୀୟ ଇନିଂସ ସହ ତାଙ୍କୁ ବିକଳ୍ପ ଭାବେ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୧୮୩ ରନର ଇନିଂସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୫ରେ ଖେଳିଥିବା ୧୩୮ ରନର ଇନିଂସ, ୨୦୧୫ରେ ପାକ୍ ବିପକ୍ଷରେ ଖେଳିଥିବା ୧୦୭ ରନର ଇନିଂସ ଦିଆଗଲା। କିନ୍ତୁ ସେ ପ୍ରତିଥର ୪୩ ରନର ଇନିଂସକୁ ହିଁ ବାଛିଲେ, ଯାହା ତାଙ୍କ ଦ୍ୱାରା ବଛାଯାଇଥିବା ପ୍ରିୟ ଦିନିକିଆ ଇନିଂସ।


