ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ଭିତରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିବାର ସମୟସୀମା ତାଙ୍କୁ ହେପାଜତରେ ନେବା ସମୟଠାରୁ ଆରମ୍ଭ ହେବ, ଔପଚାରିକ ଗିରଫ ସମୟଠାରୁ ନୁହେଁ।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ହେପାଜତରେ ନେବା ଏବଂ ଗିରଫ କରିବା, ଦୁଇଟି ଯାକ ବ୍ୟକ୍ତିର ସ୍ୱାଧୀନତା ଉପରେ ସମାନ ଭାବେ ରୋକ୍ ଲଗାଏ। ତେଣୁ ୨୪ ଘଣ୍ଟାର ଗଣନା ସେହି ସମୟଠାରୁ ହିଁ ଆରମ୍ଭ ହେବ, ଯେବେ ପୋଲିସ କୌଣସି ବ୍ୟକ୍ତିଙ୍କୁ ହେପାଜତରେ ନିଏ।
ହାଇକୋର୍ଟଙ୍କୁ ସମାଲୋଚନା:
ସୁପ୍ରିମକୋର୍ଟ କିଛି ହାଇକୋର୍ଟଙ୍କ ଏହି ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି ଯେ, ହେପାଜତରେ ନେବା ଏବଂ ଔପଚାରିକ ଗିରଫ କରିବା ମଧ୍ୟରେ ଅଲଗା ଅଲଗା ଆଇନଗତ ସ୍ଥିତି ବୋଲି ପାର୍ଥକ୍ୟ କରାଯାଇପାରିବ। ଏହି ମାମଲା ତ୍ରିପୁରା ହାଇକୋର୍ଟଙ୍କ ଏକ ଆଦେଶ ସହ ଜଡ଼ିତ। ୨୯ ସେପ୍ଟେମ୍ବର ୨୦୨୫ରେ ହେପାଜତରେ ନିଆଯାଇଥିବା ୪ ଜଣଙ୍କ ଗିରଫ ୩୦ ସେପ୍ଟେମ୍ବରରେ ଦେଖାଯାଇଥିଲା। ସେମାନେ ୨୪ ଘଣ୍ଟା ଭିତରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର ନକରାଯିବା ଦର୍ଶାଇ ଏହାକୁ ଭୁଲ୍ ବୋଲି କହିଥିଲେ, କିନ୍ତୁ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନଥିଲେ।
ନିୟମ ଉଲ୍ଲଂଘନ ହେଲେ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ:
ସୁପ୍ରିମକୋର୍ଟ କହିଛନ୍ତି ଯେ, ହେପାଜତରେ ନେଉଥିବା ଅଧିକାରୀ କେବଳ ସମ୍ବିଧାନର ଧାରା ୨୨(୨) ଅନୁସାରେ ବାଧ୍ୟତାମୂଳକ ୨୪ ଘଣ୍ଟା ସମୟସୀମାକୁ ମନେ ରଖିବା ନୁହେଁ, ବରଂ BNSSର ଧାରା ୫୮ ଅନୁସାରେ ମାମଲାର ପରିସ୍ଥିତିକୁ ଦେଖି ହେପାଜତ ଅବଧି ୨୪ ଘଣ୍ଟା ଭିତରେ ମଧ୍ୟ ‘ଯଥୋଚିତ ସମୟ’ଠାରୁ ଅଧିକ ନହେବା ନିଶ୍ଚିତ କରିବା ଉଚିତ।
ଅଦାଲତ କହିଛନ୍ତି ଯେ, ମାଜିଷ୍ଟ୍ରେଟଙ୍କ କର୍ତ୍ତବ୍ୟ ହେଉଛି ଯେବେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ସାମ୍ନାରେ ହାଜର କରାଯାଏ, ସେ ସେହି ବ୍ୟକ୍ତିଙ୍କ ହେପାଜତର ପ୍ରକୃତ ତାରିଖ ଓ ସମୟ ଲିପିବଦ୍ଧ କରିବେ। ସେ ଏହା ଯାଞ୍ଚ କରିବେ ଯେ, ହେପାଜତର ସେହି ସମୟଠାରୁ ୨୪ ଘଣ୍ଟା ସମୟସୀମା ପାଳନ ହୋଇଛି କି ନାହିଁ। ଯଦି ୨୪ ଘଣ୍ଟା ସମୟସୀମା ଉଲ୍ଲଂଘନ ହୋଇଛି, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହେପାଜତରୁ ମୁକ୍ତ କରି ଦିଆଯିବା ଉଚିତ।


