ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇ ଶିଶୁପୁତ୍ର ଜନ୍ମ ଦେବା ଏବଂ ପରେ ନବଜାତକର ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ତଥା ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ଏହି ମର୍ମନ୍ତୁଦ ଘଟଣା ପରେ ବିଦ୍ୟାଳୟର ପରିଚାଳନାଗତ ତ୍ରୁଟି ଏବଂ ଦାୟିତ୍ୱହେଳାକୁ ଗ୍ରହଣ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କର୍ତ୍ତବ୍ୟରୁ ନିଲମ୍ବିତ କରାଯାଇଛି।
ପ୍ରାପ୍ତ ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସାତ ମାସର ଗର୍ଭବତୀ ଥିବା ଅବସ୍ଥାରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ବେତନଟୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବାରିପଦାସ୍ଥିତ ପଣ୍ଡିତ ରଘୁମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ସୁପରଭିଜନରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତ ବୁଧବାର ସକାଳେ ଛାତ୍ରୀଜଣକ ଏକ ଶିଶୁପୁତ୍ରକୁ ପ୍ରସବ କରିଥିଲେ। ତେବେ ଜନ୍ମ ହେବା ପରଠାରୁ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ଏବଂ ଅପରିପକ୍ୱତା କାରଣରୁ ଗୁରୁବାର ରାତିରେ ସେହି ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ରଟିର ମୃତ୍ୟୁଘଟିଥିବା ସ୍ପଷ୍ଟ ହୋଇଛି।
ଏଭଳି ଏକ ସମ୍ବେଦନଶୀଳ ଓ ଗୁରୁତର ମାମଲା ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ଆବାସିକ ବିଦ୍ୟାଳୟ ପରିସରରେ ଜଣେ ନାବାଳିକା ଛାତ୍ରୀ ଦୀର୍ଘ ମାସ ଧରି ଗର୍ଭବତୀ ଥିବା କଥା ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ କରାଯିବା ପରେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ସେବା ନିୟମାବଳୀ ଅନୁଯାୟୀ କ୍ଷମତା ପ୍ରୟୋଗ କରାଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ତତ୍କାଳୀନ ଭାବେ ନିଲମ୍ବିତ କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବାବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ଅନ୍ୟ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।


