Categories
ବିଶେଷ ଖବର

‘ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର’: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ବିରୋଧୀଙ୍କୁ ବିଲକୁଲ ଟାର୍ଗେଟ ନକରି ମୟୂରଭଞ୍ଜରେ ମାଷ୍ଟର ଷ୍ଟ୍ରୋକ ଖେଳିଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ। ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ। ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର। ବାରିପଦା ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏଭଳି କିଛି କହିଥିଲେ, ଯାହା ଏବେ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ ହୋଇଛି । ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣର ବିଭିନ୍ନ ଉଦାହରଣ ଦେଇଥିଲେ ଶ୍ରୀ ପାଣ୍ଡିଆନ୍‍। ଜିଲ୍ଲାରେ ୫୬ ଜିଲ୍ଲା ପରିଷଦ ଆସନରୁ ୫୩ ଜିଲ୍ଲା ପରିଷଦ ଆସନ ଜିତି ମ୍ୟାଜିକ କରିଛି ମୟୂରଭଞ୍ଜ । ଆଗାମୀ ଦିନରେ ଏକାଠି କାମକଲେ ୫୬ରୁ ୫୬ ଭଳି ମ୍ୟାଜିକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି। ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ। ଓଡିଶା କିଭଳି ନୂଆ ଓଡିଶା ଆଡକୁ ଅଗ୍ରସର ହେଉଛି ତାର ଗୋଟି ଗୋଟି ଉଦାହାରଣ ଦେବା ଛଳରେ ସେ ପରୋକ୍ଷରେ ବିକାଶ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହା ଯଦି ରୂପାନ୍ତରଣ ନୁହେଁ, ଏହା ଯଦି ନୂଆ ଓଡିଶାର ଯାତ୍ରା ନୁହେଁ, ତାହା ହେଲେ ଆଉ କଣ? ନିଜ ବକ୍ତବ୍ୟରେ ସେ ପ୍ରତି ପଞ୍ଚାୟତରୁ ବସ ଗଡିବା ପାଇଁ ହୋଇଥିବା ଲକ୍ଷ୍ମୀ ଯୋଜନାଠୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫାଇଭ ଟି ଅଧିନରେ ସ୍କୁଲ ଓ କଲେଜର ରୂପାନ୍ତରଣ ପ୍ରସଙ୍ଗ ଉତଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗରିବରୁ ଗରିବତମ ଲୋକଙ୍କୁ ଏଭଳି ସଶକ୍ତ କରିଛନ୍ତି ଯେ, ସେମାନେ ଆଜି ନିଜ ସନ୍ତାନଙ୍କୁ ଡାକ୍ତର, ଇଂଜିନିୟର ଭଳି ବଡ ବଡ ବୃତିରେ ଦେଖିବା ସ୍ୱପ୍ନକୁ ସାକାର କରିପାରୁଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆମ ବାପା ପରି, ଆମ ଗୁରୁ ପରି। ସେ ହେଉଛନ୍ତି ସମଗ୍ର ଓଡ଼ିଶାବାସୀଙ୍କ ପ୍ରେରଣା, ସାଢ଼େ ୪ କୋଟି ଲୋକଙ୍କ ପ୍ରେରଣା। ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରିବାର କାରଣ ହେଉଛି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବା। ଏହା ତାଙ୍କର ଏକମାତ୍ର ଲକ୍ଷ୍ୟ। ରାଜ୍ୟବାସୀଙ୍କ ପାଇଁ କାମ କରିବା ସେ ନିଜର ଭାଗ୍ୟ ବୋଲି ମନେକରନ୍ତି। ଏହି ଏକମାତ୍ର ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି। ସେ ବିଜୁ ପଟ୍ଟନାୟକଙ୍କ ପୁଅ। ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି। ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ବି ଫରକ ପଡିବନି। କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଭଲ ସରକାର ଗଠନ ଓ ନୂଆ ଓଡ଼ିଶା ଗଠନ। ଏ ସବୁ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ।

ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେବା ପୂର୍ବରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ୟ କାର୍ତ୍ତିକ ପାଣ୍ଡିଆନ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଏ ପ୍ରଶ୍ନ ପିଲାଙ୍କ ପାଇଁ ଯେତିକି ନଥିଲା, ରୂପାନ୍ତରଣକୁ ଦେଖିପାରୁନଥିବା ବିକାଶ ବିରୋଧୀଙ୍କ ପାଇଁ ଅଧିକ ଥିଲା। କେଉଁ ରାଜ୍ୟ ସମଗ୍ର ଭାରତ ବର୍ଷର କ୍ରିଡା ରାଜଧାନୀ? ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେଉଁ ରାଜ୍ୟକୁ ଜାତିସଂଘରୁ ସମ୍ମାନ ମିଳିଛି? କେଉଁ ରାଜ୍ୟ ଏବେ ବଳକା ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଛି? କେଉଁ ଜିଲ୍ଲା ଦେଶର ଏକ ନମ୍ବର ଜିଲ୍ଲା? ଏଭଳି କିଛି ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ ଫାଇଭ ଟି ଅଧ୍ୟକ୍ଷ। ପିଲାମାନେ ଉଚ୍ଚ ସ୍ୱରରେ ଏସବୁର ଉତ୍ତର ଓଡିଶା ଓ ମୟୂରଭଞ୍ଜ ବୋଲି ଯଥାକ୍ରମେ ଦେଇଥିଲେ। କଲେଜରେ ପାଠପଢୁଥିବା ପିଲାମାନେ ଯେତେବେଳେ ରୂପାନ୍ତରଣକୁ ବୁଝିପାରୁଛନ୍ତି, କିଛି ଲୋକ ଏହାକୁ କେମିତି ବୁଝୁନାହାଁନ୍ତି ବୋଲି ପରୋକ୍ଷରେ ସୂଚେଇବାକୁ ଚାହିଁଥିଲେ ଫାଇଭ ଟି ଅଧ୍ୟକ୍ଷ । ଭି.କେ. ପାଣ୍ଡିଆନଙ୍କ ମୟୂରଭଞ୍ଜ ଗସ୍ତ ବେଳେ ନୂଆ-ଓ କାର୍ଯ୍ୟକ୍ରମ ହେଉ ବା ଛଉ ପଡିଆରେ ଆୟୋଜିତ ସାଧାରଣ ସଭା, ସବୁଠି ତାଙ୍କୁ ମିଳିଥିଲା ଉଚ୍ଛସ୍ୱିତ ସମ୍ବର୍ଦ୍ଧନା। ହଜାର ହଜାର ଲୋକ ସେ ସ୍ଲୋଗାନ ଦେବା ବେଳେ ତାଙ୍କ ସହ ସ୍ୱର ମିଳାଇ କହିଥିଲେ, ଆମ ଓଡିଶା-ନବୀନ ଓଡିଶା, ଆମ ନେତା-ନବୀନ ପଟ୍ଟନାୟକ।

ଏହି ସଭାରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ମୟୂରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ବାରିପଦା ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ବେତନଟୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଶନିବାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଅବସରରେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ। ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯିବା ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରୟୋଗ ବିଷୟରେ ପ୍ରଶିକ୍ଷଣ ଦିଆଯିବା ସହିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବିଭିନ୍ନ ରୋଗ ପରୀକ୍ଷା କରାଯାଇଥିଲା। ହିତାଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଟୁଡୁ କହିଥିଲେ ଯେ, ବିଗତ ଦଶ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଗରିବ, ମହିଳା, ଯୁବକ ଓ ଚାଷୀଙ୍କର ସାମାଜିକ ତଥା ଆର୍ଥିକ ବିକାଶ ହୋଇଛି । ଭାରତ ସବୁ କ୍ଷେତ୍ରରେ ଆଜି ପ୍ରଗତି ହାସଲ କରୁଛି। ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆସନ୍ତା ୨୫ ବର୍ଷରେ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ସହିତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ମଜବୁତ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଶ୍ରୀ ଷଡଙ୍ଗୀ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମେରୀ ମାଟି ମେରା ଦେଶ ଅଭିଯାନ: ପୁରୀ, ନୟାଗଡ଼, ଜଗତସିଂହପୁର ଓ ମୟୂରଭଞ୍ଜରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ଵର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।

ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବେତଟନୀ ବ୍ଲକ୍‌ ବଡ଼ାଲିଗାଁ ମୁଷାଗଡ଼ିଆ ଠାରେ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଅନ୍ୟପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ନେହରୁ ଯୁବା କେନ୍ଦ୍ର ପକ୍ଷରୁ ଅମୃତ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ଭାରତୀୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଡକ୍ଟର ସମ୍ବିତ ପାତ୍ର, ଉପାସନା ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ବାଣିକିଲୋ ଠାରେ ବାବା କମଳେଶ୍ୱର ଯୁବକ ସଂଘ ପକ୍ଷରୁ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେହିପରି ଜିଲ୍ଲାର ଗଣିଆ ବ୍ଲକ ରସଙ୍ଗା ପଞ୍ଚାୟତର ମା’ ବଡ଼ରାଉରା ଯୁବ କ୍ଲକ୍ ଆନୁକୂଲ୍ୟରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସେହିପରି ଜଗତସିଂହପୁର ଜିଲ୍ଲା ନୂଆଗାଁ ବ୍ଲକ ଶିଖର ଗ୍ରାମପଞ୍ଚାୟତରେ ଅମୃତ କଳସ ଯାତ୍ରା ଓ ସହୀଦଙ୍କ ଜନ୍ମମାଟିରୁ ମୃତ୍ତିକା ଓ ଶସ୍ୟ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଗ୍ରାମରେ ମଧ୍ୟ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍‌ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ପରିକ୍ରମା କଲା ‘ଅହିଂସା ରଥ’ ଲୋକଙ୍କ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଅହିଂସା ଓ ସତ୍ୟାଗ୍ରହ ଥିଲା ଗାନ୍ଧିଜୀଙ୍କର ଅତିପ୍ରିୟ ଆୟୁଧ। ସେହି ଅମୋଘ ଆୟୁଧର ଉପଯୋଗ କରି ଶକ୍ତିଶାଳୀ ବି୍ରଟିଶ ଶକ୍ତିକୁ ସେ ପରାଜିତ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ମାଲକାନଗିରି ଏବଂ ମୟୂରଭଞ୍ଜ ପରିକ୍ରମା କରି ଦେଶପ୍ରେମ, ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରସାର ସହ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଉନ୍ମାଦନା ସୃଷ୍ଟି କରିବା ସହ ସ୍ୱାଧୀନତା ସଂଗ୍ରାମ ତଥା ସଂଗ୍ରାମୀମାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି।

ଆଜି ମାଲକାନଗିରି ଜିଲ୍ଲାରେ ଗୋଟିଏ ଅହିଂସା ରଥ କୋରୁକୋଣ୍ଡା ବ୍ଲକ ଏବଂ ଅନ୍ୟ ଅହିଂସା ରଥଟି ପଡିଆ ବ୍ଲକ ଏବଂ କାଲିମେଳା ବ୍ଲକ ପରିକ୍ରମା କରିଛି। ମାଲକାନଗିରି ସଦର ମହକୁମାରୁ ରଥ ପଡ଼ିଆ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା। ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଳା ପରିଷଦ ସଦସ୍ୟ, ବ୍ଲକର ପ୍ରଶାସନିକ ଅଧିକାରୀ, ପଞ୍ଚାୟତିରାଜ ସଭ୍ୟ, ସରପଞ୍ଚ, ୱାର୍ଡ଼ ମେମ୍ବର, ବ୍ଲକ ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତୀ୍ର, ତହସିଲ ଅଫିସର କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ମିଶନ ଶକ୍ତି ସଦସ୍ୟା, ଆଶାକର୍ମୀ, ଗଣମାଧ୍ୟମର ପ୍ରତିନିଧି, ଯନ୍ତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ଜନତା ଏହି ଯାତ୍ରାରେ ସାମିଲ ହୋଇଥିଲେ। ରଥ କାଲିମେଳାର ମୁଗିପଏଣ୍ଟ ଓ ଅନ୍ୟାନ୍ୟ ଅଂଚଳ ପରିକ୍ରମା ପରେ ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାକୁ ଫେରିଥିଲା।

ସେହିପରି କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା ସମୟରେ ଅହିଂସା ରଥକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ, ପଂଚାୟତ ଅଫିସ ଏବଂ ବିଭିନ୍ନ ସ୍ଥାନରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା। ଉଭୟ ରଥ ପରିକ୍ରମା ସମୟରେ ମାଲକାନଗିରିର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ମଧୁବନ, କେସିଗୋଲେଇ, ଶରତଚନ୍ଦ୍ର ବିଦ୍ୟାପୀଠ, ଜଗନ୍ନାଥ ମନ୍ଦିର ରଥଦାଣ୍ଡ, ସେପି କଲେଜ, ବେଲଗଡ଼ିଆ ଅଗ୍ନିଶମ ସେବା କେନ୍ଦ୍ର, ବାରିପଦା ପୌରାଞ୍ଚଳ କାର୍ଯ୍ୟାଳୟ ପରିସର, ବିଜୁ ପଟ୍ଟନାୟକ ଗୋଲେଇ, ପାଣ୍ଡେ ନୋଡାଲ ପ୍ରାଥମିକ ବିଦ୍ୟାଳୟ, ଦାରଘାଡାହି ଅଞ୍ଚଳରେ ଅହିଂସା ରଥ ପରିକ୍ରମା କରିଛି। ସେହିପରି ବାରିପଦା ବ୍ଲକ୍‌ ଅଞ୍ଚଳର ରାଜାବସା ଗ୍ରାମପଞ୍ଚାୟତ, ଲକ୍ଷ୍ମୀପୋଷି ଗ୍ରାମପଞ୍ଚାୟତ, ପିଆର୍‌ସେ ମେଡିକାଲ କଲେଜ, ବାରିପଦା ବ୍ଲକ୍‌ କାର୍ଯ୍ୟାଳୟ ପରିସର, କାଠପାଳ ଓ କେସିପୁର ଅଞ୍ଚଳ ପରିକ୍ରମା କରିଥିଲା।

ପରେ ଅହିଂସା ରଥ ବେତନଟୀ ବ୍ଲକ୍‌ ଅନ୍ତର୍ଗତ ଦାନ୍ତିଆମୁହାଁ, ତାରାକୁଟୀ, ବେତନଟୀ ବଜାର, ବେତନଟୀ ଏମ୍‌ପିସି ହାଇସ୍କୁଲ, ଆଗାରିଆ, ବୈଶିଙ୍ଗା ଅଞ୍ଚଳ ପରିକ୍ରମା କରିଛି। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଅନ୍ୟ ଗୋଟିଏ ଅହିଂସା ରଥ କୁଳିଅଣା ବ୍ଲକ୍‌ର ପୁରୁଣାପାଣି, ନୁଧୁନା ଗ୍ରାମପଞ୍ଚାୟତ, ଚାନ୍ଦୁଆ ବ୍ଲକ୍‌ ସଦର କାର୍ଯ୍ୟାଳୟ, ଧଡ଼ିପଡ଼ା ଅଞ୍ଚଳ ପରିକ୍ରମା କରିଥିଲା। ପରେ ରଥଟି ଶୁଳିଆପଦା ବ୍ଲକ୍‌ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତ, ବଡ଼ଦେଉଳୀ ଛକ, ଗୁହାଳଡ଼ିହା, ବାଘଡ଼ାଛକ, ସାଇବଣୀ, ଝାଟିକିଆ ଦେଇ ମୋରଡ଼ା ବ୍ଲକ୍‌ ଯାଇଥିଲା। ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼ଶୋଳ, ଚିକିଟାମାଟିଆ, ନୁଆଗାଁ, ମୋରଡ଼ା ବ୍ଲକ୍‌ ଛକ ଓ ଝିଙ୍କିରିଆ ଅଞ୍ଚଳ ପରିକ୍ରମା ପରେ ରଥଟି ରାସଗୋବିନ୍ଦପୁର ବ୍ଲକ୍‌ ଅଞ୍ଚଳରେ ପ୍ରବେଶ କରିଥିଲା।

ରଥଟି ରାସଗୋବିନ୍ଦପୁର ବ୍ଲକର ଦେବଶୋଳ, ରାସଗୋବିନ୍ଦପୁର ବ୍ଲକ୍‌ ସଦର ମହକୁମା, ତହସିଲ୍‌ ଛକ, ବିବି ହାଇସ୍କୁଲ ଓ ବିବି ମହାବିଦ୍ୟାଳୟ ଅଞ୍ଚଳ ପରିକ୍ରମା କରିଥିଲା। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ କରିଥିଲେ।

ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକେ ଅନୁପ୍ରେରିତ ହେଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି ‘ଅହିଂସା ରଥ’

ଭୁବନେଶ୍ୱର : ବିଶ୍ୱ ଇତିହାସରେ ମାନବିକ ମହାନୁଭବତା ଓ ମୂଲ୍ୟବୋଧର ଜଣେ ଅସାଧାରଣ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଗାନ୍ଧିଜୀ ଚିରସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରୁଛି।

ଆଜି ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଦୁଇଟି ଅହିଂସା ରଥକୁ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଚେକ୍‌ଗେଟ୍‌ଠାରେ ସ୍ୱାଗତ କରାଯାଇଥିଲା। ରଥ ଦୁଇଟି ଆଜି ମାଥିଲି ଓ ଖଇରପୁଟ ବ୍ଲକ୍‌ ପରିକ୍ରମା କରିବା ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉଭୟ ଜିଲ୍ଲାର ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି, ଛାତ୍ରଛାତ୍ରୀମାନେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ରଥ ପରିକ୍ରମା ସମୟରେ ବିିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଲକାନଗିରି ଜିଲ୍ଲାରେ ଏହି ରଥ ପରିକ୍ରମା କାର୍ଯ୍ୟ ଜାରି ରହିଛି।
ଆଜି ଗୋଟିଏ ଅହିଂସା ରଥ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍‌ଠାରେ ପହଞ୍ଚିବା ପରେ ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଶାକର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ରଥକୁ ସ୍ୱାଗତ କରିଥିଲେ।

କୁସୁମୀ ବ୍ଲକର ଝାଲଭଙ୍ଗୁରୀ, ବାଦାମ ପାହାଡ ଅଞ୍ଚଳ ପରିକ୍ରମା କରିବା ପରେ ଜାମଦା ବ୍ଲକ୍‌ ସଦର ମହକୁମା, ହୁର୍ଲାବେଡ଼ା, ଜାରକାନୀ, ବଡ଼ଦୁନ୍ଦୁ ଅଞ୍ଚଳ ପରିକ୍ରମା କରିଥିଲା। ଏହାପରେ ଏହି ରଥଟି ବହଳଦା ବ୍ଲକ୍‌ ଅନ୍ତର୍ଗତ ବହଦଳା ବଜାର, ବହଳଦା ହାଇସ୍କୁଲ, ନିମିଡିହି, ଡାଲିମା ଅଞ୍ଚଳରେ ପରିକ୍ରମା କରିଥିଲା। ସେଠାରୁ ରଥ ତିରିଙ୍ଗ ବ୍ଲକ୍‌ର ନିଶ୍ଚିନ୍ତପୁର, ରତନସାହି, ନୂଆଗାଁ, ତିରିଙ୍ଗ ବ୍ଲକ୍‌ ସଦର ମହକୁମାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।

ଶେଷରେ ଏହି ରଥ ରାଇରଙ୍ଗପୁର ବ୍ଲକ୍‌ ଅଞ୍ଚଳ ସହ ବ୍ଲକ୍‌ ଅନ୍ତର୍ଗତ ପୁରୁଣାପାଣି ଓ ଅନ୍ୟାନ୍ୟ ଗ୍ରାମପଞ୍ଚାୟତ ଗସ୍ତ କରିଥିଲା। ସମସ୍ତ ସ୍ଥାନରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଦ୍ୱିତୀୟ ରଥଟି ଖୁଣ୍ଟା ବ୍ଲକ୍‌ର ବିସିପୁର, ଧାନଘେରା, କହ୍ନେଇବନ୍ଧ ଅଞ୍ଚଳ, ଗୋପବନ୍ଧୁ ନଗର ବ୍ଲକର କୁଶଳଦା, ଜୟପୁର, ପୁରୁଣା ବାରିପଦା, କୁଆମରା ଏବଂ ବଡ଼ସାହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସମସ୍ତ ସ୍ଥାନରେ ସଂପୃକ୍ତ ବ୍ଲକ୍‌ର ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଜନସାଧାରଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଏହି ରଥ ପରିକ୍ରମା ସମୟରେ ସ୍ଥାନୀୟ ଜନସାଧାରଣଙ୍କ ମନରେ ବିପୁଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲା। ଏହି ‘ଅହିଂସା ରଥ’ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରୁଛି। ଜନସାଧାରଣଙ୍କ ମନରେ ଜାତୀୟତାଭାବ ଉଦ୍ରେକ କରିବା ସହ ଭାଇଚାରା, ସଂପ୍ରୀତି ଓ ଏକତାର ବାର୍ତ୍ତା ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏହି ମହନୀୟ ପଦକ୍ଷେପ ବେଶ୍‌ ଆଦୃତି ଲାଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବାଣ୍ଟିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ  ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି। ୧୦ ହଜାର ୬୫୭ ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇଲେଣି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ। ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ। ରାଜ୍ୟରେ ଏହି କାର୍ଡ ଗରିବ ଲୋକଙ୍କର ଦୁଃଖ ଦୂର କରିବ।”

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୟୁରଭଂଜର ୯୪ଟି ଗାଁର ୧୫ ହଜାର ହେକ୍ଟର ଜମିକୁ ଗଲା ସୁବର୍ଣ୍ଣରେଖା ପାଣି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡିଶା ପାଇଁ ଏକ ଆନନ୍ଦର ଦିନ। ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର‌୍ୟ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଜଳସେଚସନ ରାଜ୍ୟ ସରକାରଙ୍କର ଏକ ପ୍ରଥମିକତା କ୍ଷେତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଖରିଫ ଋତୁ ରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜଳ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି ଓ ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି। ଚାଷୀକୁ ତାର ହକ ଦେବା ଆମର ଲକ୍ଷ ଏବଂ ଚାଷୀର ହକ ମିଳିଲା ପର‌୍ୟ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ , ଆଇନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ ବୋଲି ସେ କହିଥିଲେ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗ ର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ. ପାଣ୍ଡିଆନ କାଯ୍ୟକ୍ରମର ପରିଚାଳନା କରିଥିଲେ ।
ମୟୂରଭଞ୍ଜ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ କରୋନା ଯୋଗୁଁ 9 ମୃତ : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 314 ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ 2ଜଣ ଲେଖାଏଁ ମୃତ୍ୟୁ ହୋଇଛନ୍ତି । ସୁନ୍ଦରଗଡ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜାମର ତିନି  ମୃତକଙ୍କ ବୟସ ଯଥାକ୍ରମେ 73, 82 ଓ 36 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ଆଜି ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ ଯଥାକମେ 23 ଓ 72 ବର୍ଷ । ସେହିପରି ମୟୂରଭଞ୍ଜରୁ 60 ଓ 58ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ହୋଇଥିବାବେଳେ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 61ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 314ରେ ପହଞ୍ଚିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହା 147କୁ ବୃଦ୍ଧି ହୋଇଛି । ସେହିପରି କଟକ ଜିଲ୍ଲାରେ ଏହା 13କୁ ବୃଦ୍ଧି ହୋଇଥିବାବେଳେ ସୁନ୍ଦରଗଡରେ 20 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେହିପରି ମୟୂରଭଞ୍ଜରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ 58ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 57 ଜଣ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ବର :  ଆଜି ଚିହ୍ନଟ ହୋଇଥିବା 58 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 57 ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଞ୍ଜାମର ସମସ୍ତ 29 ଓ ମୟୂରଭଞ୍ଜ ଚିହ୍ନଟ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ରହିଛି। ସେହିପରି ବାଲେଶ୍ବରରୁ  ଚିହ୍ନଟ 15 ଆକାନ୍ତଙ୍କ ମଧ୍ୟରୁ 5 ଜଣ କର୍ଣ୍ଣାଟକ ଓ 10 ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଥିବାବେଳେ ଅନୁଗୁଳରୁ ଚିହ୍ନଟ 13 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣ ସୁରତ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 352ରେ ପହଞ୍ଚିଛି। ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାଜ୍ୟରେ ପୁଣି ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସକାଳେ 14 ଜଣ ଚିହ୍ନଟ ହୋଇଥିବାବେଳେ ଏବେ ତିନି ଜଣ  ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରେ ଏହି ତିନି ନୂଆ ଆକ୍ରାନ୍ତଙ୍କୁ ମିଶାଇ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 287ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବଢିବାରେ ଲାଗିଛି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି।

ଗଞ୍ଜାମରୁ ସର୍ବାଧିକ ରୋଗୀ 83ଜଣ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଯାଜପୁର ଓ ଖୋର୍ଦ୍ଧା। ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରେ 32 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 27ରେ ରହିଥିବାବେଳେ ଭଦ୍ରକରେ 25, ସୁନ୍ଦରଗଡରେ 13, ଜଗତସିଂହପୁରରେ5, ବଲାଙ୍ଗିର, କଟକ, ଝାରସୁଗୁଡା, କଳାହାଣ୍ଡି, କେଉଁଝରରେ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିଲେ। ସେହିପରି ଦେବଗଡ, ଢେଙ୍କାନାଳ, କେରାପୁଟ ଓ ପୁରୀ ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବମୋଟ 287 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 63 ଜଣ ସୁସ୍ଥ ହୋଇଥିବାବେଳେ 222ଟି ଆକ୍ଟିଭ କେସ୍‌ ରହିଛି ଓ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଚିହ୍ନଟ ହୋଇଥିବା ସମସ୍ତ 20 ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ବର  : ଆଜି ଚିହ୍ନଟ 20 ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଗଞ୍ଜାମ ଜିଲ୍ଲାର 17 ଆକ୍ରାନ୍ତ ସୁରତରୁ ଫେରିଥିବାର ସୂଚନା ରହିଛି ।  ଏହି 17 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି ଓ ବାକି 16 ଜଣ ପୁରୁଷ ରହିଛନ୍ତି ବୋଲି ଜଣାପଡିଛି । ଯୁବତୀଙ୍କ ବୟସ 20 ବର୍ଷ ବୋଲି ସୂଚନା ରହିଥିବାବଳେ ଅନ୍ୟ 16 ଜଣ ପୁରୁଷଙ୍କ ବୟସ  ଯଥାକ୍ରମେ 27,27,20,38,29,50, 30, 29,21,43,43, 49,46, 18, 24 ବର୍ଷ ବୋଲି ଜଣାପଡିଛି । ସେହିପରି ମୟୂରଭଞ୍ଜର ସମସ୍ତ ତିନି ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନେ ମଧ୍ୟ ସୁରତ ଫେରନ୍ତା । ଏହି ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 21, 36 ଓ 44 ବର୍ଷ  ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି ନୂଆ 20 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି ନୂଆ 20ଟି ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି । ଆଜି ଚିହ୍ନଟ 20 ମଧ୍ୟରୁ 17ଟି ଗଞ୍ଜାମର ଥିବାବେଳେ ମୟୂରଭଞ୍ଜର ତିନି  ଜଣ ରହିଛନ୍ତି । ତିନି ଆକ୍ରାନ୍ତଙ୍କ ସହ କରୋନା ମୟୂରଭଞ୍ଜ ଜିଲ୍ଲା ଛୁଇଁଛି । ପୂର୍ବରୁ 17ଟି ଜିଲ୍ଲାକୁ କରୋନା ବ୍ୟାପି ଥିବାବେଳେ ଆଜି ମୟୂରଭଞ୍ଜରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଏହା 18କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 205ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 21କୁ ବୃଦ୍ଧି ହୋଇଛି। କାଲି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 185 ଥିଲା, ଆଜି ସକାଳୁ 20ଟି ଆକ୍ରାନ୍ତ ଚିହ୍ନଟ ହୋଇ  205କୁ ବୃଦ୍ଧି ହୋଇଛି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ  61 ଜଣ ସୁସ୍ଥ ହୋଇଥିବାବେଳେ 2 ଜଣ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି 143ଟି ।