ନୂଆଦିଲ୍ଲୀ: ଗତ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ଏକ ଖବର ବେଶ ଭାଇରାଲ ହେବାରେ ଲାଗିଛି। ତାହା ହେଲା ଯେ, ୩୧ ଡିସେମ୍ବର ୨୦୨୬ ପରେ ବର୍ତ୍ତମାନର ‘ଚେକ୍ ଟ୍ରଙ୍କେସନ୍ ସିଷ୍ଟମ୍’ (CTS) ଚେକ୍ ବୁକ୍ଗୁଡ଼ିକ ଅବୈଧ ହୋଇଯିବ। ୧ ଜାନୁଆରୀ ୨୦୨୭ ରୁ ଉନ୍ନତ ସୁରକ୍ଷା ମାନକ ବିଶିଷ୍ଟ ନୂତନ ଚେକ୍ ବୁକ୍ ଲାଗୁ ହେବ। ଏହି ଖବରକୁ ନେଇ ଗ୍ରାହକମାନେ ବ୍ୟାଙ୍କକୁ ଫୋନ କରି ସତ କଣ ଜାଣିବା ପାଇଁ ଚେଷ୍ଠା କରିଥିଲେ। ହେଲେ ବ୍ୟାଙ୍କ ତରଫରୁ ସେମିତି କୌଣସି ନିଷ୍ପତି ହୋଇ ନାହିଁ ବୋଲି ଅଧିକାରୀମାନେ ଗ୍ରାହକଙ୍କୁ ବୁଝାଇବାକୁ ଲାଗିଲେ।
ଏସବୁ ଖବର ଜାଣିବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ପୋଷ୍ଟଗୁଡ଼ିକୁ ଖଣ୍ଡନ କରିଛି। ଆରବିଆଇ ‘X’ (ଟ୍ୱିଟର) ରେ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ CTS ଚେକ୍ ବୁକ୍ଗୁଡ଼ିକ ପାଇଁ ଏଭଳି କୌଣସି ପରିବର୍ତ୍ତନ କରାଯାଉନାହିଁ। ଏହି ଖବରଗୁଡ଼ିକୁ ତଥ୍ୟଗତ ଭାବେ ଭୁଲ୍ ଏବଂ ବିଭ୍ରାନ୍ତକାରୀ ବୋଲି ଦର୍ଶାଇ, RBI ସାଧାରଣ ଜନତାଙ୍କୁ କେବଳ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତି ଉପରେ ହିଁ ବିଶ୍ୱାସ କରିବାକୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, “RBI, CTS ଚେକ୍ ବୁକ୍ ସମ୍ବନ୍ଧରେ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ।” ଏହା ମଧ୍ୟ କୁହାଯାଇଛି ଯେ ପ୍ରଚାରିତ ଖବରଟି ତଥ୍ୟଗତ ଭାବେ ଭୁଲ୍ ଏବଂ ବିଭ୍ରାନ୍ତକାରୀ ଅଟେ। ତେବେ, RBI ସାଧାରଣ ଜନତାଙ୍କୁ ଅନୁରୋଧ କରିଛି ଯେ ଏଭଳି ବିଷୟରେ କେବଳ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ସୂଚନା ଉପରେ ହିଁ ଭରସା କରନ୍ତୁ। ଏହାପରେ ଗ୍ରାହକ ତଥା ବ୍ୟାଙ୍କ କର୍ମଚାରୀମାନେ ଅସ୍ବସ୍ଥି ହୋଇଛନ୍ତି।


