ପୁରୀ: ପୁରୀ ବଳିଆପଣ୍ଡା ଅଞ୍ଚଳସ୍ଥିତ ମଦନ ଭୀଲ୍ଲା ପଛପଟେ ଥିବା ଏକ ଘରେ ବାଣ ଫୁଟାଇବା ବେଳେ ଏକ ଦୁର୍ଘଟଣା ଘଟିଯାଇଛି। ଘର ନିକଟରେ ବାଣ ଫୁଟାଯାଉଥିବା ସମୟରେ ନିକଟରେ ଜଳୁଥିବା ଦୀପର ନିଆଁ ସଂସ୍ପର୍ଶରେ ଆସି ଏଲପିଜି ଗ୍ୟାସ ସିଲିଣ୍ଡରଟି ଭୀଷଣ ଭାବେ ବିସ୍ଫୋରଣ ହୋଇଥିଲା। ଏହି ଅଘଟଣରେ ୧୦ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି। ସିଲିଣ୍ଡର ଫାଟିବା ପରେ ଘଟଣାସ୍ଥଳରେ ଭୟାନକ ସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘର ନିକଟରେ ଗ୍ୟାସ ସିଲିଣ୍ଡର ରହିଥିବା ସତ୍ତ୍ୱେ ଦୀପ ଓ ବାଣ ବ୍ୟବହାର କରାଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।


