ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସେ ନଭେମ୍ବର ୧୫ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୧୬ ତାରିଖରେ ଓଡ଼ିଶା ବିଧାନସଭାରେ ଆୟୋଜିତ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଓଡ଼ିଶା ବିଧାନସଭା ଇତିହାସରେ ଦ୍ୱିତୀୟ ଥର ପାଇଁ ଉପରାଷ୍ଟ୍ରପତି ଯୋଗଦେବାକୁ ଯାଉଛନ୍ତି।
ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ତିନୋଟି ସେସନ୍ ରହିବ। ପ୍ରଥମ ସେସନ୍ରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଉପସ୍ଥିତ ରହିବେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକମାନଙ୍କୁ ବିଧାନସଭାର ନିୟମାବଳୀ, ଆଚରଣ, ଉଚ୍ଚାରଣ, ବିଧାୟକଙ୍କ ଉତ୍ତରଦାୟିତ୍ୱ ଏବଂ ଗୃହ ସମ୍ପର୍କରେ ନିର୍ଦ୍ଦିଷ୍ଟ ଶିକ୍ଷା ଦିଆଯିବ। ଏହାସହିତ ବିଧାନସଭାର ବିଭିନ୍ନ କମିଟି ଏବଂ ସେଗୁଡ଼ିକର କାର୍ଯ୍ୟଶୈଳୀ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭାରେ ମୋଟ ୩୫ଟି କମିଟି ରହିଥିବା ବେଳେ କେବଳ ଅର୍ଥ ବିଭାଗ ପାଇଁ ୪ଟି ସ୍ୱତନ୍ତ୍ର କମିଟି ରହିଛି। ସମଗ୍ର ଦେଶରେ କେବଳ କେରଳ ଏବଂ ଓଡ଼ିଶାରେ ଏହିପରି ସ୍ୱତନ୍ତ୍ର କମିଟି ବ୍ୟବସ୍ଥା ରହିଛି। ଏହି କମିଟି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନିଷ୍ପତ୍ତିଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ହେଉଛି କି ନାହିଁ, ସେ ନେଇ ବିଶେଷ ସମୀକ୍ଷା କରାଯିବ। ଏହା ସହିତ ବଜେଟ୍ ଆବଣ୍ଟନ, ଖର୍ଚ୍ଚ, ଅନୁପାତ ଓ ଅଟକଳ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରସଙ୍ଗରେ ବିଧାୟକମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ। ସମଗ୍ର ଭାରତର ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ବାର୍ଷିକ ହାରାହାରି ୨୨ ରୁ ୨୩ ଦିନ ଚାଲୁଥିବା ବେଳେ ଓଡ଼ିଶାରେ ସର୍ବାଧିକ ଦିନ ବିଧାନସଭା ବୈଠକ ବସିବାର ଅନନ୍ୟ ରେକର୍ଡ ରହିଛି।
ଅନ୍ୟପଟେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଥିବା ସୂଚନା ଅନୁଯାୟୀ, ଚଳିତ ମାସ ୨୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନିଜର ଏହି ଓଡ଼ିଶା ଗସ୍ତ କାଳରେ ଗୃହମନ୍ତ୍ରୀ କେତେକ ପ୍ରଶାସନିକ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।


