ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଜକନିକା କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ଶ୍ରେଣୀଗୃହ ଭିତରେ ହଠାତ୍ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀ ଟଳିପଡ଼ିଥିଲେ। ତାଙ୍କର ଏପରି ଆକସ୍ମିକ ଅସୁସ୍ଥତା ଦେଖି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶ୍ରେଣୀର ଅନ୍ୟ ସହପାଠୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛାତ୍ରୀ ଜଣଙ୍କୁ ଅଚେତ ଅବସ୍ଥାରେ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଉପସ୍ଥିତ ଡାକ୍ତର ଛାତ୍ରୀ ଜଣଙ୍କୁ ସମୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ପରେ ବିଦ୍ୟାଳୟ ପରିସର ସମେତ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାଠପଢ଼ା ଚାଲିଥିବା ସମୟରେ ଛାତ୍ରୀ ଜଣକ କିପରି ଏବଂ କେଉଁ କାରଣରୁ ମୃତ୍ୟୁବରଣ କଲେ, ସେ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।


