ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ କୈଳାସ ଚନ୍ଦ୍ର ଦାସ ଯୋଗଦାନ କରିଛନ୍ତି। ସେ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱଭାର ଗ୍ରହଣ କରିଛନ୍ତି।
ଶ୍ରୀ ଦାସ ଓଡ଼ିଶା ପ୍ରଶାସନିକ ସେବା (ଏସ.ଏ.ଜି) ର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ। ଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସଦର ମହକୁମାରେ ଦାୟିତ୍ୱ ନିର୍ବାହ କରି ସେ ଖୁବ୍ ପ୍ରଶଂସିତ ହୋଇଛନ୍ତି।
ଏହା ପୂର୍ବରୁ ଶ୍ରୀ ଦାସ ଭୁବନେଶ୍ୱର ମହାନଗର ନିଗମରେ ଅତିରିକ୍ତ ଆୟୁକ୍ତ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଆସୁଥିଲେ।
ଯୋଗଦାନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ।


