ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ୱାଇଏସ୍ଆର୍ସିପିର ପୂର୍ବତନ ରାଜ୍ୟସଭା ସାଂସଦ ଭି. ବିଜୟସାଇ ରେଡ୍ଡୀ ‘ପରିବର୍ତ୍ତନ ରାଜନୀତି ପାର୍ଟି’ (ପିଆରପି) ନାମକ ଏକ ନୂତନ ରାଜନୈତିକ ଦଳର ଶୁଭାରମ୍ଭ କରିବା ସହ ଏହାର ପତାକା ଉନ୍ମୋଚନ କରିଛନ୍ତି। ବଂଶବାଦୀ ରାଜନୀତିର ଅନ୍ତଘଟାଇ ଯୁବ ନେତୃତ୍ୱ ବିକାଶ ଏବଂ ଲୋକଙ୍କ କଲ୍ୟାଣକୁ ମୁଖ୍ୟ ଏଜେଣ୍ଡା ଭାବେ ନେଇ ସେ ଏହି ନୂତନ ଦଳ ଗଠନ କରିଛନ୍ତି। ସେ ‘ଦେଶମ୍ କୋସମ୍ ଧର୍ମମ୍ କୋସମ୍’ (ଦେଶ ଏବଂ ଧର୍ମ ପାଇଁ) ନାରା ସହିତ ନିଜ ଦଳର ଶୁଭାରମ୍ଭ କରିଛନ୍ତି। ଏହି ଦଳର ପତାକାର ଉପର ଭାଗରେ ଗେରୁଆ ଏବଂ ତଳ ଭାଗରେ ଧଳା ରଙ୍ଗ ରହିଛି, ଯାହାର ମଝିରେ ଏକ ‘ଚକ୍ର’ ରହିଛି। ଦଳୀୟ ପତାକା ଉନ୍ମୋଚନ କରିବା ସହ ସେ ବଂଶବାଦୀ ରାଜନୀତିକୁ ସମାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଏହି ଦଳ ଯୁବ ନେତୃତ୍ୱ ବିକାଶ ଉପରେ ଗୁରୁତ୍ୱ ଦେବ ଏବଂ ପ୍ରତ୍ୟେକ ସାମାଜିକ ବର୍ଗରେ ନେତୃତ୍ୱ ଗଠନ କରିବ ବୋଲି କହିଛନ୍ତି।
ଏହି ଅବସରରେ ଭାଷଣ ଦେଇ ପୂର୍ବତନ ସାଂସଦ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଭବିଷ୍ୟତ କୌଣସି ଜଣେ ନେତାଙ୍କ ହାତରେ ନୁହେଁ, ବରଂ ଏଠାକାର ଜନସାଧାରଣଙ୍କ ହାତରେ ଅଛି। ବିଜୟସାଇ ରେଡ୍ଡୀ କହିଥିଲେ ଯେ କେବଳ ଭୋଟ୍ ଦେବା ସହିତ ଲୋକଙ୍କ ଦାୟିତ୍ୱ ସରିଯାଏ ନାହିଁ। ସେ କହିଛନ୍ତି, “ଭୁଲ ବିରୋଧରେ ପ୍ରଶ୍ନ କରିବା ଏବଂ ଭଲ କାମକୁ ପ୍ରଶଂସା କରିବା ଉଚିତ। ତାଙ୍କ ଅନୁସାରେ ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଗୁଣ ବିକଶିତ କରିବା ଉଦ୍ଦେଶ୍ୟରେ ସେ ଏହି ଦଳ ଗଠନ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ହେବାର ତାଙ୍କର କୌଣସି ଆକାଂକ୍ଷା ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟିର ସଭାପତି ୱାଇ. ଏସ. ଜଗନ ମୋହନ ରେଡ୍ଡୀଙ୍କ ଅତି ଘନିଷ୍ଠ ସହଯୋଗୀ ଥିବା ବିଜୟସାଇ ରେଡ୍ଡୀ କହିଛନ୍ତି ଯେ ନୂଆ ଦଳ ଦେଶପ୍ରେମ, ଲୋକଙ୍କ କଲ୍ୟାଣ ଏବଂ ଆନ୍ଧ୍ରପ୍ରଦେଶର ସ୍ୱାର୍ଥ ରକ୍ଷା ନୀତିରେ ପରିଚାଳିତ ହେବ।


