ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଆସିଛି ବଡ଼ ଦୁଃଖଦ ଖବର। କିସ୍ତୱାଡ଼ ଜିଲ୍ଲାରେ ବୁଧବାର ଠାରୁ ନିଖୋଜ ଥିବା ଦୁଇ ସ୍ପେଶାଲ୍ ପୁଲିସ୍ ଅଫିସର୍ ଙ୍କ ମୃତଦେହ ମିଳିଛି। ଦୁହିଁଙ୍କ ଶରୀର ଗୁଳିରେ ଛିଦ୍ର ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।
ମୃତକଙ୍କ ପରିଚୟ ମିଳିଛି – ୫୭ ବର୍ଷୀୟ ବବି ଚାନ୍ଦ ଏବଂ ୪୫ ବର୍ଷୀୟ ରଶପାଲ୍ କୁମାର। ଦୁହେଁ ସ୍ଥାନୀୟ ପୁଲିସ୍ ର ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (SOG) ରେ କାର୍ଯ୍ୟରତ ଥିଲେ। ସବୁଠୁ ବଡ଼ କଥା ହେଲା, ଘଟଣାସ୍ଥଳରୁ ତାଙ୍କ ସର୍ଭିସ୍ ଅସ୍ତ୍ରଶସ୍ତ୍ର ମିଳିନାହିଁ। ଏହା ଯୋଗୁଁ ଆତଙ୍କବାଦୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ତେବେ ଅଧିକାରୀମାନେ ଏ ଯାଏଁ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ନିଶ୍ଚିତ କରିନାହାନ୍ତି।
କେମିତି ନିଖୋଜ ହେଲେ?
ବବି ଚାନ୍ଦ ଏବଂ ରଶପାଲ୍ କୁମାର କିସ୍ତୱାଡ଼ର ଦଚ୍ଛନ ଅଞ୍ଚଳର କିୟାର୍ ଗାଁରେ SOG ସହ ମୁତୟନ ଥିଲେ। ବୁଧବାର ସେମାନେ ନିଜ କ୍ୟାମ୍ପରୁ ଧରନା-ମରୱାହ ସ୍ଥିତ ସେନା ପୋଷ୍ଟ ଆଡ଼କୁ ଯାଉଥିଲେ। ସେହି ସମୟରେ ସେମାନେ ନିଖୋଜ ହୋଇଯାଇଥିଲେ।
ଆରମ୍ଭରୁ ତାଙ୍କ ମୋବାଇଲ୍ ଫୋନ୍ ରେ ଯୋଗାଯୋଗ ହେଉଥିଲା, କିନ୍ତୁ କିଛି ସମୟ ପରେ ଫୋନ୍ ବନ୍ଦ ହୋଇଯାଇଥିଲା। ଏହା ପରେ ପୁଲିସ୍ ଏବଂ ସେନା ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।
ନିଖୋଜ ଯବାନଙ୍କୁ ଖୋଜିବା ପାଇଁ କିୟାର୍ ଗାଁ ଆଖପାଖ ଏବଂ ଧରନା-ମରୱାହ ରାସ୍ତାର ବଡ଼ ଅଂଶକୁ ଘେରାଯାଇଥିଲା। ଦୁର୍ଗମ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଥିଲା, ସହିତ ସ୍ନିଫର୍ ଡଗ୍ ମଧ୍ୟ ଲଗାଯାଇଥିଲା। ଘନ ଜଙ୍ଗଲ, ପ୍ରାକୃତିକ ରାସ୍ତା ଏବଂ ଦୂର ଅଞ୍ଚଳରେ ସୁରକ୍ଷାବାହିନୀ ଖୋଜାଖୋଜି କରୁଥିଲେ।
ଅସ୍ତ୍ର ନ ମିଳିବାରୁ ବଢ଼ିଲା ସନ୍ଦେହ:
ଦୁହିଁଙ୍କ ମୃତଦେହ ମିଳିବା ପରେ ସର୍ଭିସ୍ ଅସ୍ତ୍ର ଗାଏବ୍ ଥିବା ଘଟଣା ତଦନ୍ତର ମୁଖ୍ୟ ଅଂଶ ହୋଇଯାଇଛି। ଅଧିକାରୀଙ୍କ କହିବା ଅନୁସାରେ, ଅସ୍ତ୍ର ନ ମିଳିବାରୁ ଆତଙ୍କବାଦୀ ସମ୍ପୃକ୍ତି ଆଶଙ୍କା ବଢ଼ିଛି, କିନ୍ତୁ ତଦନ୍ତ ସରିବା ଏବଂ ସମସ୍ତ ତଥ୍ୟ ଆସିବା ଆଗରୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଠିକ ହେବ ନାହିଁ।
କିସ୍ତୱାଡ଼ରେ ଆତଙ୍କବାଦ ବିରୋଧୀ ଅଭିଯାନ:
କିସ୍ତୱାଡ଼ର ଦୂର ଏବଂ ଘନ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସୁରକ୍ଷା ଏଜେନ୍ସି ପାଇଁ ଦୀର୍ଘ ଦିନରୁ ଚ୍ୟାଲେଞ୍ଜ ହୋଇ ରହିଛି। ସେଠାରେ ସୁରକ୍ଷାବାହିନୀ ଲଗାତାର ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଉଛନ୍ତି। ଗତ କିଛି ଅଭିଯାନରେ ଅନେକ ସକ୍ରିୟ ଆତଙ୍କବାଦୀ ନିହତ ହୋଇଛନ୍ତି।
ତଥ୍ୟ ଅନୁସାରେ, ୨୦୨୬ ରେ ଆତଙ୍କବାଦୀ ଘଟଣାରେ ୪ ଆତଙ୍କବାଦୀ ଏବଂ ସେନାର ୧ ଯବାନଙ୍କ ସମେତ ମୋଟ୍ ୫ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୫ ରେ ୩ ଆତଙ୍କବାଦୀ ଏବଂ ସେନାର ୧ ଯବାନଙ୍କ ସମେତ ୪ ଜଣ ଏବଂ ୨୦୨୪ ରେ ୩ ସୁରକ୍ଷାକର୍ମୀ ଏବଂ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
ବିଧାୟକଙ୍କ ପ୍ରତିକ୍ରିୟା:
କିସ୍ତୱାଡ଼ର ବିଜେପି ବିଧାୟକ ଶଗୁନ୍ ପରିହାର ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ କହିଛନ୍ତି। ସେ କହିଛନ୍ତି ଯେ, ଦୁହିଁଙ୍କ ନିଖୋଜ ଖବର ଗତ ରାତିରେ ମିଳିଥିଲା, ସକାଳ ପ୍ରାୟ ୮ ଟାରେ ଜଣଙ୍କ ଏବଂ ୯ ଟାରେ ଆଉ ଜଣଙ୍କ ମୃତଦେହ ମିଳିଛି।
ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଏବେ ବି ଷଡ଼ଯନ୍ତ୍ର ଜାରି ରଖିଛି। ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦେବା ପାଇଁ ଏବଂ ଏହାର ୪ ଗୁଣା କଡ଼ା ଜବାବ ଦେବା ପାଇଁ ଅପିଲ୍ କରିଛନ୍ତି। ସେ ଏବେ ଘଟଣାସ୍ଥଳକୁ ଯାଉଛନ୍ତି।
ଏହା ସହ ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷାବାହିନୀ ମିଳିତ ଅଭିଯାନରେ ୨ଟି ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ବଦରକୁଟ୍ ଜଙ୍ଗଲରେ ଗସ୍ତ ବେଳେ ବଦରକୋଟ୍, ଟାଙ୍ଗମର୍ଗ ବାସିନ୍ଦା ଗୁଲାମ୍ ଜିଲାନୀ ରେଶୀଙ୍କୁ ସନ୍ଦେହଜନକ ଗତିବିଧି ପାଇଁ ଧରାଯାଇଥିଲା। ତାଙ୍କ ପାଖରୁ ଗୋଟେ ଗ୍ରେନେଡ୍ ମିଳିଥିଲା ଏବଂ ତାଙ୍କ ସୂଚନା ଅନୁସାରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଦ୍ୱିତୀୟ ଗ୍ରେନେଡ୍ ମଧ୍ୟ ଜବତ କରାଯାଇଛି। ଟାଙ୍ଗମର୍ଗ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।
ସେପଟେ କୁଲଗାମ ଜିଲ୍ଲାରେ CRPF ଟିମ୍ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀଙ୍କ ସର୍ଚ୍ଚ ଅପରେସନ୍ ଲଗାତାର ଦ୍ୱିତୀୟ ଦିନରେ ବି ଜାରି ରହିଛି।


