ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଗତ ଦୁଇ ଦିନରେ ଦୁଇଟି ଆତଙ୍କବାଦୀ ଘଟଣା ପରେ ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ପାକିସ୍ତାନ ସହ କଥାବାର୍ତ୍ତା ପାଇଁ ଓକିଲାତି କରିଛନ୍ତି। ଜମ୍ମୁରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ଫାରୁକ୍ ଅବଦୁଲ୍ଲା ପାକିସ୍ତାନର ନାଁ ନ ନେଇ କହିଛନ୍ତି ଯେ, ସେମାନେ ମନେ ରଖିବା ଉଚିତ୍ ଯେ ଆତଙ୍କବାଦ କେବେ ବି ସଫଳ ହେବ ନାହିଁ। ଯଦି ସେମାନେ ଭାବୁଛନ୍ତି ଏମିତି କରି କାଶ୍ମୀରକୁ ଖାଇ ଯିବେ, ତେବେ ସେହି ଭୁଲ୍ ଧାରଣାରୁ ବାହାରି ଆସିବା ଉଚିତ୍।’
କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ୍ କରି ଫାରୁକ୍ କହିଛନ୍ତି ଯେ, ମୋତେ ଦୁଃଖ ଲାଗୁଛି ଯେ ଦିଲ୍ଲୀରେ ସବୁବେଳେ ଚିତ୍କାର କରାଯାଏ ଯେ ଆତଙ୍କବାଦ ଶେଷ ହୋଇଗଲା। ମୁଁ ମନେ ପକାଇ ଦେବାକୁ ଚାହୁଁଛି ଯେ, ଆତଙ୍କବାଦ ଏଯାଏଁ ଅଛି ଏବଂ ଏହାକୁ ଶେଷ କରିବା ପାଇଁ ରାସ୍ତା ବାହାର କରିବା ଉଚିତ୍। ଏଯାଏଁ ବି ଆତଙ୍କବାଦ ଚାଲିଛି, କେଜାଣି ଦ୍ୱିତୀୟ ଆକ୍ରମଣ କେଉଁଠି ହେବ?
ସେ କହିଛନ୍ତି ଯେ, ଆତଙ୍କବାଦ ଅଛି କିନ୍ତୁ ଏଥିରେ ଆମେ ଡରିବା ନାହିଁ। କାଶ୍ମୀର ହିନ୍ଦୁସ୍ତାନର ଅଂଶ ଥିଲା, ଅଛି ଏବଂ ରହିବ।
ପାକିସ୍ତାନ ଉପରେ ଦେଇଥିବା ନିଜ ସାମ୍ପ୍ରତିକ ବୟାନ ଉପରେ ଅବଦୁଲ୍ଲା କହିଛନ୍ତି ଯେ, ଆପଣ ମୋ ବୟାନକୁ ଭୁଲ୍ ଭାବେ ଦେଖିଛନ୍ତି। ଯେତେବେଳେ ଏମାନେ (ଆତଙ୍କବାଦୀ) ଆସିଥିଲେ, ସେମାନେ କଣ ନ କରିଥିଲେ। ଆମ ମା-ଭଉଣୀଙ୍କୁ ହତ୍ୟା କଲେ, ଦୁଷ୍କର୍ମ କଲେ। ବାରାମୁଲ୍ଲାରେ ଖ୍ରୀଷ୍ଟିଆନ୍ ମାନେ ଚଳାଉଥିବା ହସ୍ପିଟାଲର ଡାକ୍ତର ଏବଂ ତାଙ୍କ ସ୍ତ୍ରୀଙ୍କୁ ମାରିଲେ। ମୁଁ କହିଥିଲି ଯେ, ଆପଣ ଇତିହାସ ନିଜ ପିଲାଙ୍କୁ କହୁନାହାନ୍ତି। କିନ୍ତୁ ପାକିସ୍ତାନ ସବୁଠି ଚିତ୍କାର କରୁଛି କାଶ୍ମୀର, କାଶ୍ମୀର, କାଶ୍ମୀର। ଏଥିରେ ମୁଁ କଣ ଭୁଲ୍ କହିଲି?’
ପାକିସ୍ତାନ ସହ କଥାବାର୍ତ୍ତା କଥା କହି ଫାରୁକ୍ କହିଛନ୍ତି ଯେ, ଲଢ଼େଇରେ ମାମଲା ସମାଧାନ ହେବ ନାହିଁ। ଇରାନ୍ ଏବଂ ଆମେରିକାକୁ ଆପଣ ଦେଖିଲେ, ୟୁକ୍ରେନ୍ କୁ ଦେଖିଲେ କେମିତି ଧ୍ୱଂସ ହୋଇଗଲା ଏବଂ ଏବେ ତିନି ରାଷ୍ଟ୍ରପତି ମିଶି ରାସ୍ତା ବାହାର କରିବା ପାଇଁ ବସୁଛନ୍ତି। ଲଢ଼େଇରେ କଥା ହେବ ନାହିଁ, କଥାବାର୍ତ୍ତାରେ ହିଁ ସମାଧାନ ହେବ।
ମୁଁ ତ ପାକିସ୍ତାନକୁ ସବୁବେଳେ କହେ – ଆତଙ୍କବାଦ ବନ୍ଦ କର, ପାକିସ୍ତାନରୁ କିଛି ମିଳିବ ନାହିଁ ଏବଂ କଥାବାର୍ତ୍ତାର ରାସ୍ତା ଗ୍ରହଣ କର, ଯାହା ଦ୍ୱାରା କିଛି ସମାଧାନ ବାହାର କରାଯାଇପାରିବ।
ଇନ୍ଦିରା ଗାନ୍ଧୀ ଏବଂ SAARC ର ଉଦାହରଣ:
ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଦୁହେଁ ଗୋଟେ ହିଁ ଦେଶ ଥିଲୁ। ଜର୍ମାନୀ ଯେତେବେଳେ ହିଟଲର୍ ଙ୍କ ସମୟରେ ପୁରା ୟୁରୋପ୍ କୁ ନଷ୍ଟ କରିଦେଇଥିଲା, ଆଜି ସେହି ୟୁରୋପ୍ ଏକ ହୋଇଯାଇଛି। ଇନ୍ଦିରା ଗାନ୍ଧୀ SAARC ଆରମ୍ଭ କରିଥିଲେ ଏବଂ ଭାରତ ହେଉଛି ସବୁଠୁ ବଡ଼ ଭାଇ। ଇନ୍ଦିରା ଗାନ୍ଧୀ SAARC ଜରିଆରେ ଏକ ରାସ୍ତା ତିଆରି କରିଥିଲେ। ଆମକୁ ଏକାଠି ବସିବାକୁ ହେବ।
ଫାରୁକ୍ ଅବଦୁଲ୍ଲାଙ୍କ ଏହି ବୟାନ ପରେ ଏବେ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


