କଟକ : ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇବେ। ଆସନ୍ତା ୧୫ ତାରିଖରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ୍ ଅବସର ଗ୍ରହଣ କରିବେ। ଏହାପରେ ନଭେମ୍ବର ୧୬ ତାରିଖରୁ ଜଷ୍ଟିସ୍ ରାଉତରାୟ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇବେ।
ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୨୨୩ ଅନୁସାରେ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ରାଉତରାୟ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିବେ।
ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ ଜଣେ ଦକ୍ଷ ଆଇନଜୀବୀ ତଥା ବିଚାରପତି ଭାବେ ବେଶ୍ ପରିଚିତ। ପୂର୍ବରୁ ସେ ଓଡ଼ିଶା ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ନୂତନ ନିଯୁକ୍ତିକୁ ନେଇ ରାଜ୍ୟ ଆଇନଜୀବୀ ମହଲ ତଥା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ସ୍ୱାଗତ କରାଯିବା ସହ ଶୁଭେଚ୍ଛା ଜଣାଯାଇଛି। ଅନ୍ୟପଟେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବ ଏବେ ବଡ଼ ଚିନ୍ତାର କାରଣ। ହାଇକୋର୍ଟରେ ମୋଟ ୩୩ଟି ବିଚାରପତି ପଦବୀ ମଞ୍ଜୁର ହୋଇଥିବା ବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୩ ଜଣ। ଅର୍ଥାତ୍ ୨୦ଟି ପଦବୀ ଖାଲି ପଡ଼ିଛି। ବିଚାରପତିଙ୍କ ଅଭାବ ଯୋଗୁଁ ମାମଲାର ଶୁଣାଣି ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଉପରେ ଚାପ ବଢ଼ୁଥିବା ବେଳେ ଖାଲି ପଦବୀ ପୂରଣ ପାଇଁ ଦାବି ଜୋର୍ ଧରିଛି।


