ମାଲକାନଗିରି: ଆଜି ମହାନ ଜନଜାତି ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଜନଜାତି ଗୌରବ ଦିବସ। ଏହାକୁ ନେଇ ଓଡ଼ିଶାର ମାଲକାନଗିରିରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସମାରୋହ। ଜନଜାତିଙ୍କ ଗୌରବମୟ ଇତିହାସ, ସଂସ୍କୃତି ଓ ଅବଦାନକୁ ସମ୍ମାନ ଜଣାଇବା ସହ ଏହି ଉତ୍ସବରେ ବିକାଶର ନୂଆ ବାର୍ତ୍ତା ଦେବାକୁ ପ୍ରସ୍ତୁତି ହୋଇଛି।
ମାଲକାନଗିରି ଡି.ଏନ୍.କେ. ଖେଳପଡ଼ିଆରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଦିନ ପ୍ରାୟ ୧୦ଟା ୩୦ରୁ ଆରମ୍ଭ ହେବ ଏହି ଭବ୍ୟ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ ପ୍ରଦର୍ଶନୀ ଷ୍ଟଲ୍ଗୁଡ଼ିକ ଉଦ୍ଘାଟିତ ହେବ।
କେବଳ ଉତ୍ସବ ପାଳନରେ ସୀମିତ ରହିବନି ଏହି କାର୍ଯ୍ୟକ୍ରମ। ଏହି ଅବସରରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ନୂଆ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ଜନଜାତି ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ନୂଆ ଗତି ମିଳିବା ନେଇ ଆଶା ରହିଛି।
ଉତ୍ସବର ଅନ୍ୟତମ ଆକର୍ଷଣ ହେବ ଜନଜାତି କଲ୍ୟାଣ ବିଭାଗର ସଫଳତାକୁ ନେଇ ପ୍ରସ୍ତୁତ ପୁସ୍ତକ ‘ସମର୍ପଣ’ର ଉନ୍ମୋଚନ। ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ।
ଏହି ରାଜ୍ୟସ୍ତରୀୟ ସମାରୋହରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀଙ୍କ ସମେତ ନବରଙ୍ଗପୁର ସାଂସଦ ମଧ୍ୟ ଯୋଗଦେବେ। ତେବେ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀକୁ କେନ୍ଦ୍ର କରି ମାଲକାନଗିରିରେ ହେଉଥିବା ଏହି ଆୟୋଜନ ଜନଜାତି ସମାଜର ଗୌରବ, ପରିଚୟ ଓ ବିକାଶକୁ ନୂଆ ଭାବେ ଉଜାଗର କରିବ।


