ଭୁବନେଶ୍ୱର: ମଧୁବାବୁ ପେନ୍ସନ୍ ଯୋଜନାକୁ ନେଇ ରାଜଧାନୀବାସୀଙ୍କ ପାଇଁ ବଡ଼ ଖବର। ଦୀର୍ଘ ଦୁଇ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳର ୫,୩୨୪ ଜଣ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଛି। ଏହାପରେ ବିଏମ୍ସି ଅଞ୍ଚଳରେ ଏହି ଯୋଜନାର ମୋଟ ହିତାଧିକାରୀ ସଂଖ୍ୟା ୨୭,୧୧୨ରେ ପହଞ୍ଚିଛି। ନୂଆ ହିତାଧିକାରୀଙ୍କୁ ପ୍ରଥମ ମାସର ଭତ୍ତା ରାଶି ସହ ପେନ୍ସନ୍ ଖାତା ପ୍ରଦାନ କରାଯାଇଛି।
ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ ହେବା ପାଇଁ ଅନେକ ଯୋଗ୍ୟ ବ୍ୟକ୍ତି ପ୍ରାୟ ଦୁଇ ବର୍ଷ ତଳୁ ଆବେଦନ କରିଥିଲେ। ହେଲେ ପେନ୍ସନ୍ ତାଲିକାରେ ନୂଆ ହିତାଧିକାରୀଙ୍କୁ ସାମିଲ କରିବା କ୍ଷେତ୍ରରେ ପୂର୍ବରୁ ରହିଥିବା ନିୟମ ବାଧକ ସାଜିଥିଲା। ତାଲିକାରେ ଥିବା କୌଣସି ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯାଉଥିବାରୁ ଅନେକ ଆବେଦନକାରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।
ତେବେ ଏବେ ୫,୩୨୪ ଜଣ ନୂଆ ହିତାଧିକାରୀଙ୍କୁ ଏକାଥରକେ ସାମିଲ କରାଯିବା ପରେ ସେମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ପ୍ରଥମ ମାସର ଭତ୍ତା ଟଙ୍କା ମିଳିବା ପରେ ହିତାଧିକାରୀମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।
ନୂଆ ତାଲିକାରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳାଙ୍କ ସମେତ ବିଭିନ୍ନ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳିଛି। ନୂତନ ଭାବେ ସାମିଲ ହୋଇଥିବା ୫,୩୨୪ ଜଣ ହିତାଧିକାରୀଙ୍କ ମଧ୍ୟରେ ୩,୨୨୯ ଜଣ ୬୦ରୁ ୭୯ ବର୍ଷ ବୟସର ବରିଷ୍ଠ ନାଗରିକ ଥିବାବେଳେ ୩୩ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ। ସେହିପରି ୧,୩୭୮ ଜଣ ବିଧବା ମହିଳା, ୯୧ ଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ, ୧୫୩ ଜଣ ୬୦ରୁ ୭୯ ପ୍ରତିଶତ ଭିନ୍ନକ୍ଷମ ଏବଂ ୨୩୫ ଜଣ ୪୦ରୁ ୫୯ ପ୍ରତିଶତ ଭିନ୍ନକ୍ଷମ ବର୍ଗର ଅଟନ୍ତି। ଏହାବ୍ୟତୀତ ୧୨୨ ଜଣ ଅବିବାହିତ ମହିଳା, ୮୧ ଜଣ ନିଃସହାୟ ଓ ଛାଡ଼ପତ୍ରପ୍ରାପ୍ତ ମହିଳାଙ୍କ ସହ ୨ ଜଣ ତୃତୀୟ ଲିଙ୍ଗୀ ମଧ୍ୟ ଏହି ଯୋଜନାରେ ନୂତନ ହିତାଧିକାରୀ ଭାବେ ସାମିଲ ହୋଇଛନ୍ତି।
ଏହି ଉପଲକ୍ଷେ ବିଏମ୍ସି ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆ ହିତାଧିକାରୀଙ୍କୁ ପେନ୍ସନ୍ ଖାତା ସହ ପ୍ରଥମ ମାସର ଭତ୍ତା ରାଶି ପ୍ରଦାନ କରିଥିଲେ। ପ୍ରତୀକାତ୍ମକ ଭାବେ ବିଏମ୍ସିର ପ୍ରତ୍ୟେକ ୱାର୍ଡରୁ ଜଣେ ଲେଖାଏଁ ନୂଆ ହିତାଧିକାରୀଙ୍କୁ ଭତ୍ତା ଖାତା ଓ ଟଙ୍କା ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୟୁନିଫାଏଡ୍ ପେନ୍ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ (UPMP)ର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ୍ୟ ହିତାଧିକାରୀମାନେ ଏହି ପୋର୍ଟାଲ ମାଧ୍ୟମରେ ସହଜରେ ପେନ୍ସନ୍ ପାଇଁ ଆବେଦନ କରିପାରିବେ। ଆବେଦନ ପରେ ମାସକ ମଧ୍ୟରେ ପେନ୍ସନ୍ ପାଇବାର ବ୍ୟବସ୍ଥା ରହିଥିବା ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମ୍ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣାଙ୍କ ସମେତ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, କର୍ପୋରେଟର ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଡେପୁଟି କମିସନର ସୁଶ୍ରୀତା ଟୁଡୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୋଟାମୋଟି ଭାବେ, ଭୁବନେଶ୍ୱରରେ ମଧୁବାବୁ ପେନ୍ସନ୍ ଯୋଜନାରେ ଆଉ ୫,୩୨୪ ଜଣ ଯୋଡ଼ି ହେବା ହଜାର ହଜାର ଅସହାୟ, ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ ଆଶ୍ୱସ୍ତି ଆଣିଛି।


