କୋଟା : ରାଜସ୍ଥାନର କୋଟାରେ ଘଟିଛି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଏକ ଡାଏରୀରେ ନିଆଁ ଲାଗିବାରୁ ଜଣେ କର୍ମଚାରୀଙ୍କ ଜୀବନ ଚାଲିଯାଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦୋକାନ ଭିତରେ ଫସି ରହିଥିବା କର୍ମଚାରୀ ଜଣକ ବାହାରକୁ ବାହାରିବାର ସୁଯୋଗ ପାଇନଥିଲେ। ଅନ୍ୟ ଦୁଇଜଣ କର୍ମଚାରୀ କୌଣସିମତେ ଜୀବନ ବଞ୍ଚାଇ ବାହାରକୁ ଖସି ଆସିଥିଲେ।
ସୂଚନା ଅନୁଯାୟୀ, ନଭେମ୍ବର ୧୪ ତାରିଖ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ କୋଟାର ଭୀମଗଞ୍ଜ ମଣ୍ଡି ଥାନା ଅଞ୍ଚଳର ରାମ ମନ୍ଦିର ରୋଡ୍ରେ ଥିବା ମଧୁ ଡାଏରୀରେ ଏହି ଅଘଟଣ ଘଟିଥିଲା। ଡାଏରୀ ମାଲିକ ବିନୋଦ ଅଗ୍ରୱାଲ ସେହି ସମୟରେ ଦୋକାନରେ ଉପସ୍ଥିତ ନଥିଲେ। ତେବେ ପ୍ରେମ, ଧନରାଜ ଏବଂ ଲେଖରାଜ କେୱଟ ଦୋକାନ ଭିତରେ କାମ କରୁଥିଲେ।
ଏହି ସମୟରେ ଜଣେ କର୍ମଚାରୀ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରି ଚା’ ପ୍ରସ୍ତୁତ କରୁଥିଲେ। ହଠାତ୍ ସିଲିଣ୍ଡରର ପାଇପ୍ରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ନିଆଁ ସମଗ୍ର ଦୋକାନକୁ ବ୍ୟାପିଯାଇଥିଲା। ଅଳ୍ପ କିଛି ସମୟ ମଧ୍ୟରେ ଡାଏରୀଟି ନିଆଁର ଆଁରେ ପୋଡ଼ିବାକୁ ଲାଗିଥିଲା।
ହଠାତ୍ ନିଆଁ ଲାଗିଯିବାରୁ ଦୋକାନ ଭିତରେ ଥିବା ତିନିଜଣ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପରିସ୍ଥିତି ଭୟଙ୍କର ହେବା ପୂର୍ବରୁ ଦୁଇଜଣ କର୍ମଚାରୀ କୌଣସିମତେ ବାହାରକୁ ଖସି ଆସିବାରେ ସଫଳ ହୋଇଥିଲେ। କିନ୍ତୁ ତୃତୀୟ କର୍ମଚାରୀ ଲେଖରାଜ କେୱଟ ଦୋକାନ ଭିତରେ ଫସି ରହିଯାଇଥିଲେ।
ଦୋକାନ ଭିତରେ ଥିବା ଏକ ଡିପ୍ ଫ୍ରିଜର ଏବଂ ବାହାର ପଟେ ଲାଗିଥିବା ଜାଲ ଯୋଗୁଁ ତାଙ୍କ ପାଇଁ ବାହାରକୁ ଆସିବାର ରାସ୍ତା ବନ୍ଦ ହୋଇଯାଇଥିଲା। ଫଳରେ ସେ ଦୁଇଟି ବାଧା ମଧ୍ୟରେ ଫସି ରହିଥିଲେ। ନିଆଁ ଦ୍ରୁତଗତିରେ ବ୍ୟାପିବା ସହ ତାଙ୍କ ଶରୀର ଓ ପୋଷାକରେ ଲାଗିଯାଇଥିଲା।
ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ଲେଖରାଜଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ନିଆଁ ଲିଭାଇବା ପାଇଁ ପାଣି ମଧ୍ୟ ଢାଳିଥିଲେ। ହେଲେ ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ କେହି ଦୋକାନ ଭିତରକୁ ପଶିବାକୁ ସାହସ କରିପାରିନଥିଲେ।
ଖବର ପାଇ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ଉଦ୍ୟମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଦୋକାନ ଭିତରୁ ଲେଖରାଜଙ୍କୁ ବାହାର କରି ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଗ୍ୟାସ୍ ସିଲିଣ୍ଡରର ପାଇପ୍ରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।


