ନୂଆଦିଲ୍ଲୀ : ଅନଲାଇନ୍ ଡେଲିଭରି କମ୍ପାନୀ, ଇ-କମର୍ସ ପ୍ଲାଟଫର୍ମ ଏବଂ କ୍ୟାବ୍ ସେବାରେ କାମ କରୁଥିବା ଲକ୍ଷ ଲକ୍ଷ ଗିଗ୍ କର୍ମୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଏଣିକି କମ୍ପାନୀଗୁଡ଼ିକ ମନଇଚ୍ଛା ସେମାନଙ୍କ ଆକାଉଣ୍ଟ ବନ୍ଦ କରିପାରିବେ ନାହିଁ କିମ୍ବା ପାରିଶ୍ରମିକ ଓ କାର୍ଯ୍ୟ ସର୍ତ୍ତରେ ହଠାତ୍ ପରିବର୍ତ୍ତନ କରିପାରିବେ ନାହିଁ। ଗିଗ୍ କର୍ମୀଙ୍କ ଅଧିକାର ଓ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ତେଲେଙ୍ଗାନା ସରକାର ନଭେମ୍ବର ୧୪, ୨୦୨୬ରୁ ନୂଆ ନିୟମ ଲାଗୁ କରିଛନ୍ତି। ଏହା ଅନୁସାରେ ଶ୍ରମିକମାନଙ୍କୁ ନ୍ୟାଯ୍ୟ ପାରିଶ୍ରମିକ, ସ୍ୱାସ୍ଥ୍ୟସେବା, ବୀମା, ପେନସନ୍ ଏବଂ ଅଭିଯୋଗ ସମାଧାନ ଭଳି ସୁବିଧା ସହ ୧୨ଟି ମୌଳିକ ଅଧିକାର ପ୍ରଦାନ କରାଯାଇଛି।
ମନଇଚ୍ଛା ଚାକିରିରୁ ବାହାର କରିପାରିବେନି କମ୍ପାନୀ
ନୂଆ ନିୟମ ଅନୁସାରେ ଏଣିକି ଗିଗ୍ କର୍ମୀଙ୍କ ଚାକିରି ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। କୌଣସି ବୈଧ କାରଣ ନଥାଇ କମ୍ପାନୀଗୁଡ଼ିକ ଶ୍ରମିକଙ୍କ ଆଇଡି କିମ୍ବା ଆକାଉଣ୍ଟକୁ ନିଷ୍କ୍ରିୟ କରିପାରିବେ ନାହିଁ। ଏଥିସହ ପାରିଶ୍ରମିକ, କାର୍ଯ୍ୟ ସର୍ତ୍ତ ଏବଂ ନିୟମରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ କର୍ମୀଙ୍କୁ ଆଗୁଆ ସୂଚନା ଦେବାକୁ ପଡ଼ିବ। ଏହାଦ୍ୱାରା କମ୍ପାନୀଗୁଡ଼ିକର ଏକତରଫା ନିଷ୍ପତ୍ତିରୁ ଶ୍ରମିକମାନେ ସୁରକ୍ଷା ପାଇପାରିବେ।
ଗିଗ୍ କର୍ମୀଙ୍କୁ ମିଳିବ ୧୨ଟି ମୌଳିକ ଅଧିକାର
ତେଲେଙ୍ଗାନା ସରକାରଙ୍କ ନୂଆ ନିୟମରେ ଗିଗ୍ କର୍ମୀଙ୍କ ଆର୍ଥିକ, ସାମାଜିକ ଓ ବୃତ୍ତିଗତ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଏହା ଅନୁସାରେ ସେମାନେ ନିଜ କାମ ପାଇଁ ନ୍ୟାଯ୍ୟ ଓ ସର୍ବନିମ୍ନ ପାରିଶ୍ରମିକ ପାଇବାର ଅଧିକାର ରଖିବେ। ବୀମା, ସ୍ୱାସ୍ଥ୍ୟସେବା ଓ ପେନସନ୍ ଭଳି ସାମାଜିକ ସୁରକ୍ଷା ସୁବିଧା ମିଳିବ। କାର୍ଯ୍ୟ ସମୟରେ ଦୁର୍ଘଟଣା ଘଟିଲେ ସୁରକ୍ଷା ଓ ସହାୟତାର ବ୍ୟବସ୍ଥା ରହିବ। କୌଣସି ପ୍ରକାର ଭେଦଭାବର ଶିକାର ହେଲେ ସେମାନଙ୍କୁ ସୁରକ୍ଷା ମିଳିବ। ନିଜ ରୋଜଗାର ଓ ପାରିଶ୍ରମିକର ସମ୍ପୂର୍ଣ୍ଣ ହିସାବ ଜାଣିବା ସହ କୌଣସି କାମକୁ ମନା କରିବା ପାଇଁ ମଧ୍ୟ ଅଧିକାର ରହିବ। ଏଥିପାଇଁ ସେମାନଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ। ବୈଧ କାରଣ ବିନା ଆକାଉଣ୍ଟ ବନ୍ଦ କରାଯାଇପାରିବ ନାହିଁ। ନିୟମ ପରିବର୍ତ୍ତନ ପୂର୍ବରୁ ଆଗୁଆ ସୂଚନା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥଳର ସୁରକ୍ଷା, ସ୍ପଷ୍ଟ କାର୍ଯ୍ୟ ସର୍ତ୍ତ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୋଗର ସମାଧାନ ଏବଂ କମ୍ପାନୀଗୁଡ଼ିକର ଉତ୍ତରଦାୟିତ୍ୱ ଭଳି ବ୍ୟବସ୍ଥା ମଧ୍ୟ ଏହି ନିୟମରେ ସାମିଲ ରହିଛି।
କମ୍ପାନୀଗୁଡ଼ିକ ଉପରେ ବଢ଼ିବ ଦାୟିତ୍ୱ
ନୂଆ ନିୟମ ଅନୁସାରେ କେବଳ ଶ୍ରମିକଙ୍କ ଅଧିକାର ନୁହେଁ, ଅନଲାଇନ୍ ପ୍ଲାଟଫର୍ମ ପରିଚାଳନା କରୁଥିବା ଏଗ୍ରିଗେଟର କମ୍ପାନୀଗୁଡ଼ିକର ଦାୟିତ୍ୱ ମଧ୍ୟ ବଢ଼ାଯାଇଛି। ସେମାନଙ୍କୁ ନିଜ ପ୍ଲାଟଫର୍ମରେ କାମ କରୁଥିବା ଗିଗ୍ କର୍ମୀଙ୍କୁ ପଞ୍ଜୀକୃତ କରିବାକୁ ପଡ଼ିବ। ପ୍ରତ୍ୟେକ କର୍ମୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ଦିଆଯିବ। ଏଥିସହ କର୍ମୀଙ୍କ କଲ୍ୟାଣ ପାଇଁ ଗଠିତ ପାଣ୍ଠିକୁ କମ୍ପାନୀଗୁଡ଼ିକ ଆର୍ଥିକ ଅବଦାନ ଦେବେ। ଏହି ପାଣ୍ଠିରୁ ଶ୍ରମିକମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ସୁବିଧା ଯୋଗାଇ ଦିଆଯିବ।
ଦୁର୍ଘଟଣା ବୀମା ସହ ମିଳିବ ୧୦ ଲକ୍ଷର ସ୍ୱାସ୍ଥ୍ୟ କଭର
ଗିଗ୍ କର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ସୁରକ୍ଷା ଏହି ନିୟମର ଅନ୍ୟତମ ପ୍ରମୁଖ ଦିଗ। ଏହା ଅନୁସାରେ କର୍ମୀମାନଙ୍କୁ ଦୁର୍ଘଟଣା ବୀମା ଓ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏଥିସହ ତେଲେଙ୍ଗାନାର ଆରୋଗ୍ୟଶ୍ରୀ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ କଭରେଜ୍ ସୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପେନସନ୍ ଭଳି ସାମାଜିକ ସୁରକ୍ଷା ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ତେବେ ଏହି ସମସ୍ତ ସୁବିଧାର ପ୍ରକୃତ ଲାଭ ପାଇବା ପାଇଁ ସମ୍ପୃକ୍ତ ଯୋଜନା ଓ ପାଣ୍ଠିର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଜରୁରୀ।
ଡେଲିଭରି ବୟଙ୍କଠାରୁ କ୍ୟାବ୍ ଡ୍ରାଇଭର, ସମସ୍ତଙ୍କୁ ମିଳିବ ସୁରକ୍ଷା
ଆଜିର ଡିଜିଟାଲ୍ ଅର୍ଥନୀତିରେ ଡେଲିଭରି ବୟ, କ୍ୟାବ୍ ଡ୍ରାଇଭର, ଅନଲାଇନ୍ ଡେଲିଭରି ଅପରେଟର ଏବଂ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ କାମ କରୁଥିବା କର୍ମୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି କ୍ଷେତ୍ରରେ କାମ କରୁଥିବା ଅନେକ ଶ୍ରମିକଙ୍କ ପାଇଁ ଚାକିରି ସୁରକ୍ଷା, ନିୟମିତ ଆୟ ଓ ସ୍ୱାସ୍ଥ୍ୟ ସୁରକ୍ଷା ଏକ ବଡ଼ ଚିନ୍ତାର ବିଷୟ ହୋଇରହିଛି। ଏଭଳି ସ୍ଥିତିରେ ତେଲେଙ୍ଗାନା ସରକାରଙ୍କ ଏହି ପଦକ୍ଷେପ ଗିଗ୍ ଅର୍ଥନୀତି ସହ ଜଡ଼ିତ କର୍ମୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିବାର ଆଶା ସୃଷ୍ଟି କରିଛି।


